୮ ମାସର ଶିଶୁ ପୁତ୍ରକୁ ଚୁଲି ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ କଲା ମା’

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ସିରିଗିଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମାନସିକ ବିକୃତ ମହିଳା ନିଜ ୮ ମାସର ଶିଶୁ ପୁତ୍ରକୁ ଚୁଲି ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ କରିବା ଘଟଣା ଉକ୍ତ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛ। ତେବେ ପରିବାର ଲୋକେ ଗୁରୁତର ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
ମିଳିଥିବା ରିପୋର୍ଟ ମୁତାବକ, ସିରିଗିଡ଼ା ଗ୍ରାମର ବିଦେଶୀ ପ୍ରଧାନ କାମଧନ୍ଦା ନକରି ପ୍ରାୟ ସବୁ ସମୟରେ ମାତାଲ ଅବସ୍ଥାରେ ରହୁଥିବାବେଳେ ସ୍ତ୍ରୀ ସଂଯୁକ୍ତା ପ୍ରଧାନ ମାନସିକ ବିକାରଗ୍ରସ୍ତ ହୋଇପଡ଼ିଛି। ତେବେ ଗତ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସଂଯୁକ୍ତା ନିଜ ୮ ମାସର ଶିଶୁ ପୁତ୍ର ବିଭୁକୁ ଘରେ ଜଳୁଥିବା ଚୁଲିରେ ପୁରାଇ ଦେଇଥିଲା। ଶିଶୁର ଚିତ୍କାର ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ସେଠାରେ ପହଂଚି ଚୁଲି ନିଆଁରୁ ଶିଶୁ ପୁତ୍ରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୂଚନା ପାଇ ଚାଇଲଡଲାଇନର କର୍ମକର୍ତ୍ତା ସେଠାରେ ପହଞ୍ଚି ଶିଶୁଟିର ଚିକିତ୍ସା ବ୍ୟବସ୍ଥା କରାଇବା ସହ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶିଶୁଟି ଏବେ ମଧ୍ୟ ଚିକିତ୍ସାଧୀନ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଶିଶୁଟିର ଯତ୍ନ ନେବା ପାଇଁ ପିତାମାତା ସକ୍ଷମ ନଥିବାରୁ ସମ୍ପର୍କୀୟମାନେ ପିଲାଟିକୁ କେହି ସହୃଦୟ ବ୍ୟକ୍ତି ପୌଷ୍ୟ ଭାବେ ଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କଲେ ହସ୍ତାନ୍ତର କରିବେ ବୋଲି କହିଛନ୍ତି।