- ଭୁବନେଶ୍ୱର: ପୁରୀରେ ବିଶ୍ୱସ୍ତରୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ବାଟ ଖୋଲୁଛି । ଏଥିପାଇଁ ଗ୍ରୀନ ସିଗନାଲ ଦେଇଛି ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଏଏଆଇ ରାଜ୍ୟ ସରକାରଙ୍କୁ ପ୍ର୍ରିଫିଜିବିଲିଟି ରିପୋର୍ଟ ଦେଇଛି। ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ସକାରାତ୍ମକ ମତ ଦେଇଛି ଏଏଆଇ। ବିମାନବନ୍ଦର ନିର୍ମାଣ ପାଇଁ ସିପସରୁବାଲି ମୌଜା ଜମି ଉପଯୁକ୍ତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଭବିଷ୍ୟତକୁ ଆଖି ଆଗରେ ପ୍ରାୟ ୨୩୦୦ ଏକର ଜମି ଆବଶ୍ୟକ ହେବ ବୋଲି ପ୍ର୍ରିଫିଜିବିଲିଟି ରିପୋର୍ଟରେ ରାଜ୍ୟ ସରକାରଙ୍କୁ ଜଣାଇଛି ଏଏଆଇ।
ଏଏଆଇ ଦେଇଥିବା ପ୍ରିଫିଜିବିଲିଟି ରିପୋର୍ଟରେ କୁହାଯାଇଛି, ବିମାନବନ୍ଦର ପାଇଁ ସିପସରୁବାଲି ମୌଜା ସ୍ଥାନଟି ଉପଯୁକ୍ତ ହେବ। ପବନର ବେଗ, ଦିଗ ଓ ପରିବେଶ ଦୃଷ୍ଟିରୁ କିଛି ସମସ୍ୟା ନାହିଁ। ୧୨୦୦ ଏକର ଜମିରେ ଗୋଟିଏ ରନୱେକୁ ନେଇ ବିମାନବନ୍ଦର ପ୍ରତିଷ୍ଠା ହୋଇପାରିବ। ଆଗାମୀ ୪୦/୫୦ ବର୍ଷକୁ ଦୃଷ୍ଟିରେ ରଖି ବିମାନବନ୍ଦର ଭିତ୍ତିଭୂମି ଛିଡ଼ା କରାଯିବା ଆବଶ୍ୟକ। କାରଣ ପୁରୀରେ ବିଶ୍ୱସ୍ତରୀୟ ବିମାନବନ୍ଦର ପ୍ରତିଷ୍ଠା ହେଲେ ଏହା ଭୁବନେଶ୍ୱର ବିମାନବନ୍ଦରର ଏୟାର ଟ୍ରାଫିକ ନିୟନ୍ତ୍ରଣ କରିବାରେ ସହାୟକ ହେବ। ତେଣୁ ପୁରୀରେ ଦୁଇଟି ସାମନ୍ତରାଳ ରନୱେ ଆବଶ୍ୟକ ହେବ। ଏଥିପାଇଁ ପ୍ରାୟ ୨୩୦୦ ଏକର ଜମି ଆବଶ୍ୟକ ପଡ଼ିବ। ଏସବୁ ଦିଗରେ ରାଜ୍ୟ ସରକାର ଦୃଷ୍ଟିଦେବାକୁ ଏଏଆଇ ମତ ଦେଇଛି।
ଏଏଆଇ ପ୍ରିଫିଜିବିଲିଟି ରିପୋର୍ଟକୁ ଅନୁଧ୍ୟାନ କରୁଛି ରାଜ୍ୟ ପରିବହନ ବିଭାଗ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ସମୀକ୍ଷା କରିବେ। ଏହି ସମୀକ୍ଷା ବୈଠକ ପରେ ଯାହା ଆବଶ୍ୟକ, ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବେ। ଏ ବାବଦରେ କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ସହ ରାଜ୍ୟ ସରକାର ଆଲୋଚନା ମଧ୍ୟ କରିବେ। ପରବର୍ତ୍ତୀ ସମୟରେ ଏଏଆଇର ଆଉ ଏକ ଟିମ ଆସି ସିପସରୁବାଲି ମୌଜାସ୍ଥିତ ପ୍ରସ୍ତାବିତ ସ୍ଥାନ ବୁଲି ଅନୁଧ୍ୟାନ କରିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ ପ୍ରୋଜେକ୍ଟ ଭିତରେ ରହିଛି ପୁରୀରେ ବିଶ୍ୱସ୍ତରୀୟ ବିମାନବନ୍ଦର। ଏଥିପାଇଁ ୨୦୨୧ ଜାନୁଆରୀରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ଏ ପ୍ରସ୍ତାବ ନେଇ ଆଗ୍ରହ ଦେଖାଇଥିଲେ କେନ୍ଦ୍ର ସରକାର। ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ବେସାମରିକ ମନ୍ତ୍ରାଳୟର ଆଲୋଚନା ପରେ ଗତ ଜୁନ ୧୭ରେ ଏଏଆଇର ୩ଜଣିଆ ବିଶେଷଜ୍ଞ ଟିମ ଓଡ଼ିଶା ଗସ୍ତରେ ଆସି ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଜମି ଦେଖିଥିଲେ। ପୁରୀ-କୋଣାର୍କ ବେଳାଭୂମି ମାର୍ଗ ନିକଟସ୍ଥ ବାଲୁଖଣ୍ଡ ଓ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସମୁଦ୍ର କୂଳରେ ଥିବା ସିପସରୁବାଲି ଜମିକୁ ବୁଲି ଦେଖିଥିଲେ। ପ୍ରସ୍ତାବିତ ଏହି ଦୁଇଟି ସ୍ଥାନ ଅନୁଧ୍ୟାନ କରିବା ସହ ସେଠାକାର ପରିବେଶ, ପବନର ଗତି ଓ ଦିଗ ବାବଦରେ ସରକାର ଦେଇଥିବା ରିପୋର୍ଟ ବି ପରଖିଥିଲେ। ସିପସରୁବାଲି ମୌଜାରେ ବିମାନବନ୍ଦର ପ୍ରତିଷ୍ଠା ସମ୍ଭାବନା ନେଇ ଅଧିକ ଆଲୋଚନା ଓ ସର୍ଭେ ହୋଇଥିଲା। ପରେ ଭୁବନେଶ୍ୱରରେ ରାଜ୍ୟ ପରିବହନ ବିଭାଗ ସହ ଏ ବାବଦରେ ବିସ୍ତୃତ ଆଲୋଚନା କରିଥିଲା କେନ୍ଦ୍ରୀୟ ଟିମ।
ଗତ ଜୁଲାଇ ପ୍ରଥମ ସପ୍ତାହରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ପରିବହନ ବିଭାଗ ଅଧିକାରୀଙ୍କ ସହ ରାଜ୍ୟରେ ପ୍ରସ୍ତାବିତ ବିଭିନ୍ନ ବିମାନବନ୍ଦର ବାବଦରେ ଆଲୋଚନା କରିଥିଲେ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ବାବଦରେ ବି ଆଲୋଚନା ହୋଇଥିଲା। ପୁରୀରେ ବିମାନବନ୍ଦର ନେଇ କେତେ ସମ୍ଭାବନା ଅଛି, ସେ ନେଇ ସର୍ଭେ କରିଥିବା ଏଏଆଇ ଟିମ ତା’ର ପ୍ରକ୍ରିୟା ଶୀଘ୍ର ସାରିବା ପାଇଁ ରାଜ୍ୟ ସରକାର ବୈଠକରେ ଅନୁରୋଧ କରିଥିଲେ। ଖୁବଶୀଘ୍ର ଏଏଆଇ ବିଶେଷଜ୍ଞ ଦଳ ପ୍ରିଫିଜିବିଲିଟି ରିପୋର୍ଟ ଦେବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ଏବେ ପ୍ରିଫିଜିବିଲିଟି ରିପୋର୍ଟ ଆସିଥିବାବେଳେ ଖୁବଶୀଘ୍ର ବିମାନବନ୍ଦର ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଆଗେଇବ।