ହକି ଖେଳାଳି ରଜନୀଙ୍କୁ ଭେଟି ୨୫ଲକ୍ଷ ଟଙ୍କା ସହ ଉପହାରର ବର୍ଷା କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଟୋକିଓ ଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ହକି ଟିମର ଖେଳାଳିଙ୍କ ଉପରେ ଉପହାର ବର୍ଷା ହେଉଛି। ମହିଳା ହକି ଟିମର ଆନ୍ଧ୍ରପ୍ରଦେଶ ଖେଳାଳି ରଜନୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରଜନୀଙ୍କୁ ଫୁଲତୋଡ଼ା ଓ ସ୍ମୃତି ଚିହ୍ନ ଦେଇ ସ୍ୱାଗତ କରିଥିଲେ। ରଜନୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରେଡ୍ଡୀ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ରଜନୀଙ୍କ ପରିବାରର କୌଣସି ଜଣେ ସଦସ୍ୟକୁ ଚାକିରି ଦେବା ପାଇଁ ଆଦେଶ ଦେଇଛନ୍ତି। ଏଥିସହିତ ତିରୁପତିରେ ଘର କରିବା ପାଇଁ ୧୦୦୦ ଗଜ ଜମି ଓ ପ୍ରତିମାସ ୪୦ ହଜାର ଟଙ୍କାର ପ୍ରୋତ୍ସାହିତ ରାଶି ଦେବାକୁ ନେଇ ମଧ୍ୟ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାସ୍ଥିତ ଏରେବାରୀପାଲେମ ଗାଁରେ ରଜନୀଙ୍କ ଘର। ରଜନୀ ଦକ୍ଷିଣ ଭାରତର ଏକମାତ୍ର ମହିଳା ଖେଳାଳି ଯିଏକି ଟୋକିଓ ଅଲମ୍ପିକ୍ସରେ ଭାଗ ନେଇଥିଲେ। ରଜନୀ ୨୦୧୬ ରିଓ ଅଲମ୍ପିକ୍ସରେ ମଧ୍ୟ ଭାରତୀୟ ଟିମର ସଦସ୍ୟ ଥିଲେ। ରଜନୀ ବର୍ତ୍ତମାନ ସୁଦ୍ଧା ୧୧୦ଟି ଅନ୍ତରାଷ୍ଟ୍ରୀୟ ହକି ମ୍ୟାଚ୍ ଖେଳିଛନ୍ତି।