ନଦୀରୁ ଉଦ୍ଧାର ହେଲା ଗାଧୋଇବାକୁ ଯାଇ ନିଖୋଜ ଥିବା ବୃଦ୍ଧଙ୍କ ମୃତ ଦେହ

ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗମାଳ ଗ୍ରାମର ଜଣେ ବୃଦ୍ଧ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ବେଳେ ଘଟଣାର ତିନିଦିନ ପରେ ଆଜି ନଦୀରୁ ମୃତ ଦେହ ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତୁଙ୍ଗାମାଳ ଗ୍ରାମର କ୍ଷମା ମୁଣ୍ଡା (୬୩) ଗତ ସୋମବାର ଦିନ ଘରୁ ବାହାରି ଟିକିରା ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି ପରେ ମଧ୍ୟ କ୍ଷମାଙ୍କ କୌଣସି ସନ୍ଧାନ ମିଳିନଥିଲା।

ଆଜି ନିକଟସ୍ଥ ଝରାଡ଼ିହ ଗ୍ରାମ ନିକଟସ୍ଥ ଟିକିରା ନଦୀରେ ଏକ ମୃତ ଦେହ ଭାସୁଥିବା ଦେଖି ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ କ୍ଷମାଙ୍କ ପରିବାର ଲୋକେ ସେଠାକୁ ଆସି ମୃତଦେହ ଚିହ୍ନଟ କରିଥିଲେ। ସେହିପରି କୁଣ୍ଢେଇଗୋଳା ଥାନାରେ ସୂଚନା ଦେବାପରେ ପୁଲିସ ଛେଣ୍ଡିପଦା ଦମକଳ ବାହିନୀଙ୍କ ସହାୟତାରେ ନଦୀ ମଧ୍ୟରୁ କ୍ଷମାଙ୍କ ମୃତ ଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏଥିସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।