ରାତ୍ରିକାଳୀନ ପେଟ୍ରୋଲିଂ ବେଳେ ହୋମଗାର୍ଡଙ୍କ ଅସ୍ୱାଭାବିକ ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ ବଳମ ଗ୍ରାମଠାରେ ରାତ୍ରିକାଳୀନ ପେଟ୍ରୋଲିଂ ବେଳେ କର୍ତ୍ତବ୍ୟରତ ଜଣେ ହୋମଗାର୍ଡଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଦେବଗଡ଼ ଥାନା ଅଧୀନରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ବସାଲଇ ଗ୍ରାମର ସନ୍ତୋଷ କୁମାର ସାହୁ (୫୫) ଅନ୍ୟ ଦିନମାନଙ୍କ ଭଳି ଗତକାଲି ରାତ୍ରୀରେ ବଳମ ଗ୍ରାମରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ସନ୍ତୋଷ ହଠାତ ଅସୁସ୍ଥ ହୋଇ ପଡ଼ିବା ସହ ପାଟିରୁ ଫେଣ ଆଦି ବାହାରି ଗୁରୁତର ହୋଇ ପଡ଼ି ଯାଇଥିଲେ। ପାଖରେ ଥିବା ଅନ୍ୟସାଥୀମାନେ ତୁରନ୍ତ ସନ୍ତୋଷଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ସହ ବିଳମ୍ବିତ ରାତ୍ରୀରେ ତାଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।