୨୩ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

  • ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ରାଜଧାନୀର ସମସ୍ତ ମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବ। ଏନେଇ ଆଜି ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ୍ କଟକଣା ଯେଭଳି ଉଲ୍ଲଂଘନ ନହୁଏ ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସମ୍ପୃକ୍ତ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେବ। ଚର୍ଚ୍ଚ, ମସିଜିଦ ଓ ଗୁରୁଦ୍ୱାର ମଧ୍ୟ ୨୩ ତାରିଖରୁ ଖୋଲିବ। କିନ୍ତୁ ବିଏମସି ଏସଓପି(ନିର୍ଦ୍ଦେଶନାମା)କୁ ପାଳନ କରିବାକୁ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଗତ ୭ ତାରିଖରେ ବିଭିନ୍ନ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନାରେ ଆସିଥିବା ବିଭିନ୍ନ ପ୍ରସ୍ତାବ ଉପରେ ବିଚାର କରିବା ପରେ କୋଭିଡ କଟକଣା ପାଳନପୂର୍ବକ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଏମସି କମିସନର ସଞ୍ଜୟ ସିଂହ।
    ଜାରି ହୋଇଥିବା ଏସଓପି ମୁତାବକ, ୨୩ ତାରିଖରୁ ବିଭିନ୍ନ ମନ୍ଦିର ସହ ଧର୍ମାନୁଷ୍ଠାନକୁ ପ୍ରବେଶ ପାଇଁ ସର୍ବସାଧାରଣଙ୍କୁ ଅନୁମତି ମିଳିବ। କୌଣସି ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପ୍ରବେଶ କରିବା ପାଇଁ ସାଧାରଣ ଭକ୍ତଙ୍କୁ ସୁଯୋଗ ମିଳିବ ନାହିଁ। ଏକ ନିର୍ଦ୍ଧାରିତ ସ୍ଥାନରେ ଛିଡ଼ା ହୋଇ ଭକ୍ତମାନେ ଦର୍ଶନ କରିବାକୁ ସୁଯୋଗ ପାଇବେ। କୌଣସି ଭକ୍ତ ଭୋଗ ଲାଗି କରିପାରିବେ ନାହିଁ। ବାହାର ଭୋଗ ମନ୍ଦିର ଭିତରକୁ ନେବା ମନା ହୋଇଛି। କେବଳ ଦର୍ଶନ କରିବେ। ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର କଟକଣା ରହିଛି। ଏକ ସମୟରେ ସିଂହଦ୍ୱାରରୁ ଆଡ଼କାଠ ପର୍ଯ୍ୟନ୍ତ ସର୍ବାଧିକ ଶହେ ଜଣ ଯାତ୍ରୀଙ୍କୁ ରହିବାକୁ ଅନୁମତି ମିଳିବ।