ପାଣିରେ ୮ କେଜି ଲଙ୍କାଗୁଣ୍ଡ ମିଶାଇ ଗାଧୋଇଲେ ପୂଜାରୀ

  • ଚେନ୍ନାଇ: ରବିବାର ତାମିଲନାଡୁ ସମେତ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଆଦି ଅମାବାସ୍ୟା ପାଳନ କରାଯାଇଛି। ତାମିଲ କ୍ୟାଲେଣ୍ଡର ଅନୁଯାୟୀ, ଏହାକୁ ପ୍ରତିବର୍ଷ ପାଳନ କରଯାଇଥାଏ। ଏହି ଅବସରରେ ତାମିଲନାଡୁର ଗୋଟିଏ ଗାଁରେ ଅଭିନବ ଉପାୟରେ ପୂଜାର୍ଚ୍ଚନା କରାଯାଇଛି।
    ଧର୍ମପୁରୀ ଜିଲ୍ଲାର ନାଡପାନାହାଲ୍ଲୀ ଗାଁରେ ଆଦି ଅମାବାସ୍ୟାର ପ୍ରଥମ ଦିନକୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ବେଶ ଧୂମଧାମରେ ପାଳନ କରାଯାଇଛି। ଗାଁର ଆଦି ଦେବତା ପେରିଆ କାରୁପ୍ପାସାମୀଙ୍କୁ ସ୍ୱତନ୍ତ୍ରଭାବେ ଅଭିଷେକ କରାଯାଇଛି। ପ୍ରଥମେ ଠାକୁରଙ୍କୁ କ୍ଷୀର ଓ ଲଙ୍କା ଗୁଣ୍ଡରେ ଅଭିଷେକ କରାଯାଇଥିଲା। ପରମ୍ପରା ଅନୁଯାୟୀ, ଭକ୍ତମାନେ ଭଗବାନଙ୍କୁ ମଦ ଓ ସିଗାରେଟ୍ ଅର୍ପଣ କରଥିଲେ। ଏହାପରେ ପାରମ୍ପରିକ ସମାରୋହ ଆରମ୍ଭ ହୋଇଥିଲା। ଗାଁ ଦେବତାଙ୍କ ପୂଜା କରୁଥିବା ପୂଜାରୀ ଗୋବିନ୍ଦମ୍ ଦୁଇଟି ଦାଆ ଉପରେ ଠିଆ ହୋଇ ଭକ୍ତଙ୍କ ସମସ୍ୟା ଶୁଣିଥିଲେ। ତା’ପରେ ସେ ‘ଚିଲ୍ଲି ଯଜ୍ଞ’ କରିଥିଲେ। ଏହି ସମୟରେ ତାଙ୍କ ଉପରେ ଭକ୍ତମାନେ ୧୦୮ କେଜିର ଲଙ୍କା ଗୁଣ୍ଡକୁ ପାଣିରେ ମିଶାଇ ଢାଳିଥିଲେ।
    ଏପରି କରିବା ଦ୍ୱାରା ଦୁଷ୍ଟ ଆତ୍ମାରୁ ସେମାନଙ୍କୁ ସୁରକ୍ଷା ମିଳିଥାଏ ବୋଲି ଭକ୍ତମାନେ ବିଶ୍ୱାସ ରଖନ୍ତି। ଲଙ୍କାଗୁଣ୍ଡ ପାଣି ଏମିତି ଦୀର୍ଘ ସମୟ ଧରି ପୂଜାରୀ ଗୋବିନ୍ଦମଙ୍କ ଉପରେ ଢଳାଯାଇଥିଲା। ସେ ମଧ୍ୟ ଏହାକୁ ବେଶ ଆନନ୍ଦର ସହ ଗ୍ରହଣ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା, ଭକ୍ତମାନେ ଲଙ୍କା ଗୁଣ୍ଡ ମିଶାଇ ପାଣି ଢାଳୁଥିବାରୁ ସେମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ହେଲେ ପୂଜାରୀ ଗୋବିନ୍ଦମ ଆଦୌ ହଲଚଲ ହୋଇ ନଥିଲେ। ନୀତିକାନ୍ତି ଶେଷ ହେବା ଯାଏଁ ସେ ଧୀରସ୍ଥିର ହୋଇ ବସି ରହିଥିଲେ। ଏହାପରେ ଲଙ୍କାଗୁଣ୍ଡ ପାଣିକୁ ସଫା କରିବା ପରେ ଗାଁ ଲୋକମାନେ ପୁଣି ହଳଦୀ ମିଶା ପାଣି ପୂଜାରୀଙ୍କ ଉପରେ ଢାଳିଥିଲେ।