ଆତ୍ମସମର୍ପଣ କଲେ କେକେବିଏନ ସଂଗଠନର ସକ୍ରିୟ ମାଓ ନେତ୍ରୀ

  • କନ୍ଧମାଳ: ମାଟିରେ ମିଶୁଛି ମାଓଗଡ଼। ଜଣଙ୍କ ପରେ ଜଣେ ମାଓବାଦୀଙ୍କ ଆତ୍ମସମର୍ପଣ। ଏବେ ଆଉ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ କାନ୍ତି ମଲ୍ଲିକ। ବାଲିଗୁଡା ଥାନା କୁଟିକିଆ ଅଞ୍ଚଳରେ କାନ୍ତିଙ୍କ ଘର। କାନ୍ତି ବହୁଦିନ ଧରି କେକେବିଏନ ସଂଗଠନରେ ସକ୍ରିୟ ସଦସ୍ୟଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟ ସରକାର ମାଓ ଅଞ୍ଚଳରେ କରୁଥିବା ବିକାଶମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି। ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ କନ୍ଧମାଳ ପୁଲିସର ମନୋବଳ ବଢ଼ାଇଛି। ଆଗାମୀ ଦିନରେ ମାଓବାଦୀମାନେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୁଲିସ ପକ୍ଷରୁ ଆହ୍ୱାନ ଦିଆଯାଇଛି।
    ଉପାନ୍ତରେ ବିକାଶ କରିବାକୁ ଗୋଟେପଟେ ସରକାର ସଂକଳ୍ପବଦ୍ଧ ରହିଥିବାବେଳେ ଅନ୍ୟପଟେ ଦିନକୁ ଦିନ ବିଧ୍ୱଂସ ହେବାରେ ଲାଗିଛି ଲାଲ ଶିବିର। କାରଣ ମାଲକାନଗିରିରୁ ମାଥିଲି ସବୁଠି ପହଞ୍ଚି ପାରିଛି ସରକାରଙ୍କ ବିକାଶ ଗାଡ଼ି। ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ହେଉ ଅବା ଅପହଞ୍ଚ ହୋଇଥିବା ଗାଁଗୁଡ଼ିକରେ ସଡ଼କ ଏବଂ ଶିକ୍ଷା ବ୍ୟବସ୍ଥା ସୁଧାରିବାରେ ରାଜ୍ୟ ସରକାର ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ତେଣୁ ଅନେକ ମାଓବାଦୀ ସରକାରଙ୍କ ବିକାଶ ପ୍ରକ୍ରିୟାରେ ସାମିଲ ହେବା ସହ ମୁଖ୍ୟସ୍ରୋତକୁ ଫେରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।