ଛିଡା ହୋଇଥିବା ଭାରୀଯାନରୁ ଡିଜେଲ ଚୋରି କରି ୩ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଠାରୁ ଅନତି ଦୂରରେ ଥିବା ବଣେଇ ଛକ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଭାରୀଯାନ ଗୁଡ଼ିକରୁ ଡିଜେଲ ଚୋରି କରୁଥିବା ଅଭିଯୋଗରେ ବାରକୋଟ ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ପୁଲିସ ସୂଚନା ଅନୁସାରେ ଗତ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ବଣେଇ ଛକ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଭାରୀଯାନ ଗୁଡ଼ିକରୁ କେତେକ ଦୁର୍ବୃତ୍ତ ଡିଜେଲ ଚୋରି କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ। ପରେ ବାରକୋଟ ଥାନା ଅଧିକାରୀ କନକ ମାଝୀଙ୍କ ନିର୍ଦ୍ଦେଶରେ ଏସଆଇ ଦେବବ୍ରତ ନାୟକ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୨ ଜଣ ଦୁର୍ବୃତ୍ତ ଏକ ମାଲବାହି ଅଟୋ (ଓଡି-୧୪ପି -୬୭୯୮)ରେ ଏକ ଜାର୍କିନରେ ୫୦ ଲିଟର ଡିଜେଲ ଚୋରିକରି ନେଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ଗିରଫ କରି ପଚରାଉଚରା କରିଛି। ତେବେ ଗିରଫ ଅଭିଯୁକ୍ତମାନେ ହେଲେ ବାହାଡାପୋଷି ଗ୍ରାମର କୁମୁଦ ମହାକୁଳଙ୍କ ପୁଅ ଯୋଗେଶ୍ୱର ମହାକୁଳ (୨୧) ଓ ଗୁଣନିଧି ବଣିଚୁଳଙ୍କ ପୁଅ ଦୀପକ ବଣିଚୁଳ (୨୨)।

ପୁଲିସ ଅଟକ ରଖି ଯାଞ୍ଚ କରିବା ପରେ ଅଧିକ ପଚରାଉଚୁରା ପାଇଁ ସେମାନଙ୍କୁ ବାରକୋଟ ଥାନାକୁ ଆଣିଛି। ଅଭିଯୁକ୍ତ ମାନେ ବାହାଡାପୋଷି ଗ୍ରାମର ନାରାୟଣ ସାହୁଙ୍କ ପୁଅ ସଞ୍ଜୟ କୁମାର ସାହୁଙ୍କ ନିର୍ଦ୍ଦେଶରେ ସଞ୍ଜୟଙ୍କ ଅଟୋ ଧରି ସେମାନେ ୪୯ ନମ୍ବର ଜାତୀୟ ରାଜପଥରେ ଛିଡା ହେଉଥିବା ଭାରୀଯାନ ଗୁଡ଼ିକରୁ ଡିଜେଲ ଚୋରି କରୁଥିବା ପ୍ରକାଶ କରିବା ପରେ ପୁଲିସ ଯୋଗେଶ୍ୱର, ଦୀପକ ଓ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।