ଆଦିମ ଜନଜାତି ବର୍ଗର ଶିକ୍ଷିତ ବାୟାଙ୍କୁ ମିଳିଲା ଶିକ୍ଷକ ଚାକିରି

  • ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବାସ କରୁଥିବା ମାଙ୍କିଡିଆ ଆଦିମ ଜନଜାତିର ପ୍ରଥମ ମେଟ୍ରିକୁଲେଟ ବାୟା ମାଙ୍କିଡିଆଙ୍କୁ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରସାଶନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଥମ କରି ଶିକ୍ଷକ ପଦରେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ଏକ ଲାପଟପ ମଧ୍ୟ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ଶ୍ରୀ ମାଙ୍କିଡିଆଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
    ପ୍ରକାଶଥାଉ କି, ଶ୍ରୀ ମାଙ୍କିଡିଆ ମୟୂରଭଞ୍ଜ ଜିଲ୍ଲାରୁ ମାଙ୍କିଡିଆ ଆଦିମ ଜନଜାତି ବର୍ଗର ଛାତ୍ରଭାବେ ୨୦୧୦ ମସିହାରେ ମାଟ୍ରିକୁଲେଟ ପାସ କରିଥିବା ପ୍ରଥମ ଛାତ୍ର ଭାବରେ ରେକର୍ଡ ସୃଷ୍ଟି କରି ସମଗ୍ର ରାଜ୍ୟରେ ପ୍ରସଂଶିତ ହୋଇଥିଲେ। ପରେ ପରେ ସରକାରୀ ପ୍ରୋତ୍ସାହନ ପାଇ ଯୁକ୍ତ ୨ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ୩ରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ତେବେ ତାଙ୍କ ବିଷୟରେ ଜାଣିବା ପରେ ଜିଲ୍ଲାପାଳ ତାଙ୍କୁ ସ୍ୱତନ୍ତ୍ରଭାବେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଉଦଳା ଅନ୍ୱେଷା ଶିକ୍ଷାନୁଷ୍ଠାନରେ ତାଙ୍କୁ ଟ୍ୟୁଟର ଶିକ୍ଷକଭାବେ ନିଯୁକ୍ତ କରିବା ସହିତ ତାଙ୍କର ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ତଥା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକ ଲାପଟପ ମଧ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ମାଙ୍କିଡିଆ ନିଯୁକ୍ତି ପାଇବା ପରେ ଜିଲ୍ଲା ପ୍ରସାଶନର ଏଭଳି ସହାୟତା ପାଇଁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରୁଦ୍ର ନାରାୟଣ ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ ମହାପାତ୍ର , ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଆଦିମ ଜନଜାତିର ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ର୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ କରାଯାଇଥିବା ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂଶା କରାଯାଇଛି।