ରିଆମାଳ ବିଡିଓଙ୍କୁ ଗିରଫ ସହ ବଦଳି ଦାବି ତେଜିଲା

  • ଦେବଗଡ଼,ଏନଏନଏସ: ରିଆମାଳ ବିଡିଓ ଦିବ୍ୟଶଙ୍କର ଜୟପୁରିଆ ପଞ୍ଚାୟତ ସମିତି କାର୍ଯ୍ୟରେ ପ୍ରତିବନ୍ଧକ ସାଜିବା ସହ ପଞ୍ଚାୟତ ସମିତିର ସୁଧ ଟଙ୍କାକୁ ଦୁର୍ନୀତିପୂର୍ବକ ହଡପ କରୁଥିବା ଅଭିଯୋଗ କରି ରିଆମାଳ ବ୍ଲକ ଅଧ୍ୟକ୍ଷା ଜିଲ୍ଲା ପ୍ରଶାସନକୁ ବିଡିଓଙ୍କୁ ଗିରଫ ସହ ବଦଳି ଦାବି କରିଥିଲେ। ଗତ ୨୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ୭ ଦିନ ମହାଲତ ଦେଇଥିଲେ। ତେବେ ଧାର୍ଯ୍ୟ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଆଜି ରିଆମାଳ ବ୍ଲକ ଅଧ୍ୟକ୍ଷା ରିତାଞ୍ଜଳୀ ହାତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ଉପାଧକ୍ଷ ଜୟକୃଷ୍ଣ ପ୍ରଧାନ,ତିଳେଇବଣି ବ୍ଲକ ଅଧ୍ୟକ୍ଷା ସୁବାସିନୀ ଦେହୁରୀ, ବାରକୋଟ ବ୍ଲକ ଅଧ୍ୟକ୍ଷ ସୁବାସିନୀ ସାହୁ ଓ ଉପାଧ୍ୟକ୍ଷ ହରମୋହନ ପାଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଏଥିସହ ଆସନ୍ତା ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦାବି ପୂରଣ ନହେବା ଯାଏ ଜିଲ୍ଲା ପରିଷଦ ସମେତ ସମସ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଇଥିଲେ।