- ଭୁବନେଶ୍ୱର: ଭୁବନେଶ୍ୱରର ମୋ ସାଇକେଲ୍ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରାଜଧାନୀର ରାଜରାସ୍ତାରୁ ୩୦୦ ମୋ ସାଇକେଲ୍ ଗାଏବ୍ ହୋଇଯାଇଛି। ଏକଥାକୁ ସ୍ୱୀକାର କରିଛନ୍ତି ବିଏମସି କମିଶନର। ଏପରିକି ଏ ନେଇ ହେକ୍ସି କମ୍ପାନୀ ବିରୋଧରେ ଏଫ୍ଆଇଆର୍ ଦିଆଯାଇଛି । ସେପଟେ ସ୍ମାର୍ଟସିଟି ଯୋଜନାରେ ବ୍ୟାପକ ବାଟମାରଣା କରାଯାଇଥିବା ଅଭିଯୋଗରେ ବିଜେପି ପକ୍ଷରୁ ଆଜି ରାଜଧାନୀରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯେଉଁଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି। କିଛିଦିନ ତଳେ ହେକ୍ସି କମ୍ପାନୀର ଶତାଧିକ ସାଇକେଲକୁ କିଭଳି ଶାଗମାଛ ଦରରେ କବାଡ଼ି ବାଲା ହାତରେ ଟେକି ଦିଆଯାଇଥିଲା।
ସ୍ମାର୍ଟସିଟିରେ ସାଇକେଲିଂକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ ହକି ବିଶ୍ୱକପ ସମୟରେ ଆରମ୍ଭ ହୋଇଥିଲା ମୋ ସାଇକେଲ୍ ଯୋଜନା। ପ୍ରତି ସାଇକେଲ ପିଛା ୨୫ ହଜାର ଟଙ୍କାରେ ହେକ୍ସି, ୟୋନୋ ଏବଂ ୟୁଲୁ କମ୍ପାନୀଠାରୁ କିଣାଯାଥିଲା ୨ ହଜାର ସାଇକେଲ। ଯେଉଁଥିରେ ବ୍ୟୟ ହୋଇଥିଲା ପ୍ରାୟ ୬ କୋଟି ଟଙ୍କା। ୟୁଲୁ ଏବଂ ୟୋନୋ କମ୍ପାନୀଠାରୁ ୫୦୦ ଲେଖାଏଁ ସାଇକେଲ୍ କିଣାଯାଥିବାବେଳେ ହେକ୍ସି କମ୍ପାନୀ ଯୋଗାଇଥିଲା ଏକ ହଜାର ସାଇକେଲ। ଏବେ ହେକ୍ସି କମ୍ପାନୀର ୩୦୦ ସାଇକେଲ୍ ଗାଏବ ଥିବା ଜଣାପଡ଼ିବା ପରେ ହେକ୍ସି କମ୍ପାନୀ ବିରୋଧରେ ଏଫ୍ଆଇଆର୍ ଦିଆଯାଇଥିବା କହିଛନ୍ତି ବିଏମସି କମିଶନର୍ ।
କବାଡ଼ି ଖାନା ମାଲିକଙ୍କ ସୂଚନା ଅନୁସାରେ, ସେ କୁଆଡ଼େ ଗୋଟାକୁ ୫୦୦ ଟଙ୍କା ହିସାବରେ ୨୫୦ଟି ସାଇକେଲ୍ ହ୍ୟାକ୍ସିଂ କମ୍ପାନୀଠାରୁ କିଣିଥିଲେ। ଗୋଟିଏ ପଟେ ବିଏମସି କମିଶନର୍ ସାଇକେଲ୍ ଗାଏବ୍ କଥା କହୁଥିବାବେଳେ ଅପରପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଜୋର୍ ଧରିଲାଣି ରାଜନୀତି। ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୋ ସାଇକେଲକୁ ଏଭଳି କୋକେଇ ଉପରେ ରଖି ଏକ ରାଲି କରାଯାଇଥିଲା। ରାଜ୍ୟ ସରକାର ମୋ ସାଇକେଲ୍ ଯୋଜନା ନାଁରେ ରାଜଧାନୀ ବାସିନ୍ଦାଙ୍କୁ ଠକିବା ସହ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଦଳ ଅଭିଯୋଗ କରିଛି। ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଜିଲ୍ଲା ବିଜେପି।