- ନୂଆଦିଲ୍ଲୀ: ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ଜାଇଡସ୍ କାର୍ଡିଲା ୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ପିଲାମାନଙ୍କ ଶରୀରରେ କରୋନା ଟିକା ‘ଜାଇକୋଭ-ଡି’ର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିବାକୁ ଯୋଜନା କରୁଛି।
କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସର୍ବିଲ ପଟେଲ କହିଛନ୍ତି ଯେ, ଯଦି ଔଷଧ ନିୟାମକଙ୍କ ଅନୁମତି ମିଳେ, ତେବେ ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଶରୀରରେ ଏହି ଟିକାର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରାଯିବ।
ଜାଇକୋଭ-ଡି ଏବେ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଏହି ଟିକା ଦେବାକୁ କମ୍ପାନୀ ଅନୁମୋଦନ ମାଗିଛି। ଏହା ପୂର୍ବରୁ କମ୍ପାନୀ ନିଜର ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ଫଳାଫଳ ଡିସିଜିଆଇଙ୍କ ନିକଟରେ ଦାଖଲ କରିସାରିଛି। ଏହା ସହିତ କମ୍ପାନୀ ୩ୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ ଥିବା ପ୍ରାୟ ୧ ହଜାର କିଶୋର କିଶୋରୀ (୧୨ ବର୍ଷରୁ ଅଧିକ ୧୮ ବର୍ଷରୁ କମ)ଙ୍କ ପରୀକ୍ଷଣ ତଥ୍ୟ ମଧ୍ୟ ଦାଖଲ କରିଛି। ଏବେ ସାରା ବିଶ୍ୱରେ ୧୨ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ କୌଣସି କରୋନା ଟିକା ଉପଲବ୍ଧ ନାହିଁ ।