ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିର୍ମିତ ହୋଇଥିବା ରେଳବାଇ ଭୂତଳ ପୋଲ(ଆରୟୁବି)କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଜି ଉଦଘାଟନ କରିଛନ୍ତି। ଏଥିରେ ବେଦାନ୍ତ ସିଇଓ ସିଏନ୍ ସିଂ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ଓ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବେଦାନ୍ତର ଏହି ପ୍ରକଳ୍ପକୁ ପ୍ରଶଂସା କରି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, “ଝାରସୁଗୁଡ଼ାର ବିକାଶ ଦିଗରେ ବେଦାନ୍ତର ଅବଦାନ ସର୍ବଦା ଆଗରେ ରହିଆସିଛି। ଏହି ଆରୟୁବି ସାହାଯ୍ୟରେ ଟ୍ରାଫିକ ସମସ୍ୟା ବ୍ୟାପକ ହ୍ରାସ ହେବା ସହ ଜନସାଧାରଣ ଉପକୃତ ହେବେ। ଏହି ଆରୟୁବି ପ୍ରକଳ୍ପର ସଫଳତା ପାଇଁ ମୁଁ ବେଦାନ୍ତ, ରେଳ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଉଛି।’ ସେହିପରି ବେଦାନ୍ତ ସିଇଓ ସିଏନ ସିଂ କହିଛନ୍ତି ଯେ, “ସ୍ଥାୟୀ ସମ୍ପ୍ରଦାୟର ଭିତ୍ତିଭୂମି ବିକାଶ ଆମର ସାମାଜିକ ଦାୟିତ୍ୱ ଏବଂ ଏହି ଦିଗରେ ନିରନ୍ତର ପ୍ରୟାସର ଏକ ପ୍ରମୁଖ ସ୍ତମ୍ଭ। ଆଜି ଏହି ଆରୟୁବିକୁ ଝାରସୁଗୁଡ଼ାବାସୀଙ୍କୁ ଉତ୍ସର୍ଗ କରୁଛୁ। ସ୍ଥାନୀୟ ସମ୍ପ୍ରଦାୟର ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଆମେ ଏହି ଅଞ୍ଚଳର ସହଭାଗୀ ଭାବରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଜାରି ରଖିବୁ।
ସୂଚନାଯୋଗ୍ୟ, ନୂତନ ଭାବେ ନିର୍ମିତ ୧.୬ କିଲୋମିଟର ଲମ୍ବ ବିଶିଷ୍ଟ ଏହି ରାସ୍ତା ବେଦାନ୍ତର ମୁଖ୍ୟ ଫାଟକକୁ ସମ୍ବଲପୁର-ରାଉରକେଲା ରାଜ୍ୟ ରାଜପଥ ସହିତ ସଂଯୋଗ କରିବ। ଏହା ବୃନ୍ଦାମାଲ, ବଞ୍ଜାରୀ, ଭୁର୍କାମୁଣ୍ଡା, ଭାଗିପାଲି, କାତିକେଲା ଏବଂ ସମ୍ବଲପୁର ଅଭିମୁଖେ ଯାଉଥିବା ଅନ୍ୟାନ୍ୟ ଗ୍ରାମବାସୀଙ୍କ ସଂଯୋଗକୁ ସୁଦୃଢ଼ କରିବ। ଏହାସହ ରେଳ ଲାଇନ ଯୋଗୁ ସୁନାରିମୁଣ୍ଡା ଛକ ନିକଟରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରିବ।