ରାଜ୍ୟକୁ ମୋଟ ୬ କୋଟି ୧୮ ଲକ୍ଷ ଟିକା ଆବଶ୍ୟକ : ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡ଼ିଶାକୁ ମୋଟ ୬ କୋଟି ୧୮ ଲକ୍ଷ ଟିକାର ଆବଶ୍ୟକତା ରହିଛି। ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ ରାଜ୍ୟକୁ ୧କୋଟି ୩୮ଲକ୍ଷ ୯ହଜାର ୭୫୬ ଟିକା ଆସିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, କେନ୍ଦ୍ର ପକ୍ଷରୁ ଆସୁଥିବା ସମସ୍ତ ଟିକାକୁ ସୁରୁଖୁରୁ ଭାବରେ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କ ସୁରକ୍ଷା। ତେଣୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରତ୍ୟେକ ଗାଇଡଲାଇନକୁ ରାଜ୍ୟବାସୀ ପାଳନ କରିବା ସହ ଟିକା ଗ୍ରହଣ କରନ୍ତୁ ବୋଲି ଶ୍ରୀ ଦାସ ଅନୁରୋଧ କରିଛନ୍ତି।

ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟକୁ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ବାରମ୍ବାର ସେ ନିଜେ ଏବଂ ରାଜ୍ୟ ସରକରାଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ତେଣୁ କେନ୍ଦ୍ର ସରକାର ଶୀଘ୍ର ଟିକା ଯୋଗାଇବେ ବୋଲି ଆଶା ରହିଛି। ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୯୯.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରାଯାଇଛି। ଗତକାଲି ଗୋଟିଏ ଦିନରେ ୭୭ହଜାର ୨୦୫ଜଣ ୧୮ରୁ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ ପଥମ ଡୋଜ ଓ ୧୦ହଜାର ୩୯୯ ଜଣଙ୍କୁ ଦ୍ୱିତୀୟ ଡୋଜ ପ୍ରଦାନ କରାଯାଇଛି। ସେହିପରି ୪୫ ବର୍ଷରୁ ଉର୍ଦ୍ଧ୍ୱ ୨୩ହଜାର ୧୯୧ଜଣ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ପ୍ରଦାନ କରାଯାଇଥିବାବେଳେ ୯୦ହଜାର ୩ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯାଇଛି। ସେହିପରି ୯୯.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଏବଂ ୮୭.୧ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯାଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।