ଦେବଗଡ଼,ଏନ୍ଏନ୍ଏସ୍: କରୋନାର କରାଳ ରୂପ ବହୁ ପରିବାର ଉଜାଡ଼ିବା ସହ ଅନେକଙ୍କ ଜୀବନ ଦୁର୍ବିସହ କରିଦେଇଛି। ଏଥିରେ ବିଶେଷ ଭାବେ ଶିଶୁ ଏବଂ କିଶୋରବର୍ଗଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ପାରପୋଷି ପଞ୍ଚାୟତ ଅନ୍ତର୍ଗତ କେରାବାହାଲ ଗ୍ରାମରେ କରୋନା ସଂକ୍ରମିତ ହୋଇ ଏକ ଦମ୍ପତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପିଲା ବେସାହାରା ହୋଇଯାଇଛନ୍ତି।
ମିଳିଥିବା ରିପୋର୍ଟ ମୁତାବକ, କେରାବାହାଲ ଗ୍ରାମର ଜୟରାମ ମୁଣ୍ଡା(୫୮)କରୋନା ସଂକ୍ରମିତ ହୋଇ ଗତ ମେ’ ମାସ ୧୦ ତାରିଖ ଦିନ ଆଖି ବୁଜିଥିବାବେଳେ ତାଙ୍କ ସ୍ତ୍ରୀ ଚଂଚଳା ମୁଣ୍ଡା(୫୦)ମାସକ ପରେ ଅର୍ଥାତ୍ ଜୁନ ୧୩ ତାରିଖରେ ପ୍ରାଣ ହରାଥିଲେ। ଜୟରାମ ନିଜର ଅଳ୍ପ ଜମିରେ କୃଷି କାର୍ଯ୍ୟ କରିବା ସହ ଉଭୟ ଦମ୍ପତି ମୂଲ ଲାଗି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଉଭୟଙ୍କ ଉପରେ ସେମାନଙ୍କ ୪ ସନ୍ତାନ ନିର୍ଭରଶୀଳ ଥିବାବେଳେ ଅଳ୍ପ ରୋଜଗାରରେ ମଧ୍ୟ ପିଲାଙ୍କୁ ଗାଁ ସ୍କୁଲରେ ପାଠ ପଢ଼ାଉଥିଲେ। ମୃତ ଦମ୍ପତିଙ୍କ ୫ ସନ୍ତାନ ମଧ୍ୟରୁ ବଡ଼ ଝିଅ ରଜନୀ ମୁଣ୍ଡା (୨୬)ଙ୍କୁ ନିକଟସ୍ଥ ଗ୍ରାମରେ ବିବାହ କରାଇଥିବାବେଳେ ଦ୍ୱିତୀୟ ସନ୍ତାନ ବାସନ୍ତୀ ମୁଣ୍ଡା (୨୩) ଚଳିତ ବର୍ଷ +୨ ପରୀକ୍ଷା ଦେଇଛନ୍ତି। ସେହିପରି ତୃତୀୟ ସନ୍ତାନ ସୁନୀଲ ମୁଣ୍ଡା(୨୦) ଅଷ୍ଟମ ଯାଏଁ ଶିକ୍ଷା ଗ୍ରହଣ କରିଥିବାବେଳେ ଚତୁର୍ଥ ସନ୍ତାନ ଅନୀଲ ମୁଣ୍ଡା(୧୬) ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ପଞ୍ଚମ ସନ୍ତାନ ସୁନୀତା ମୁଣ୍ଡା(୧୩) ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡ଼ିଛି । ଅନୀଲ ଓ ସୁନୀତାଙ୍କର ପାଠ ପଢ଼ିବା ପାଇଁ ଆଗ୍ରହ ରହିଥିବାବେଳେ ସେମାନଙ୍କ ପାଇଁ ଅର୍ଥ ବାଧକ ସାଜିଛି। ପିତାମାତାଙ୍କୁ ହରାଇବା ପରେ ଉପରୋକ୍ତ ପିଲାମାନେ କାଠ ହାଣିବାଠାରୁ ଗାଈଗୋରୁଙ୍କ ଯତ୍ନ ଓ ରୋଷେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପରିବାରର ୨ଜଣ ସଦସ୍ୟଙ୍କ ମୃତ୍ୟୁ ପରେ ମଧ୍ୟ ସରକାରୀ ସହାୟତା ତ ଦୂର କଥା ପଂଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ କୌଣସି ସହାୟତା ମିଳିନାହିଁ। ତେବେ ଅନୀଲ ଓ ସୁନୀତାଙ୍କୁ କୌଣସି ସରକାରୀ ସହାୟତା ମିଳିଲେ ପାଠ ପଢ଼ି ଆଗକୁ ନିଜ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବାବେଳେ ବାସନ୍ତୀ ଓ ସୁନୀଲ ରୋଜଗାର ପାଇଁ ସରକାରୀ ସହାୟତାର ଆଶା ବାନ୍ଧିଛନ୍ତି।