ପାକିସ୍ତାନରେ ବସ୍ ବିସ୍ଫୋରଣ: ୧୩ ମୃତ

ପେଶୱାର: ଉତ୍ତର-ପଶ୍ଚିମୀ ପାକିସ୍ତାନରେ ଏକ ବସରେ ବିସ୍ପୋରଣ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ ଚୀନୀ ଶ୍ରମିକ ଥିବା ଜଣାପଡ଼ିଛି। କିନ୍ତୁ କେଉଁ କାରଣରୁ ବସରେ ବିସ୍ଫୋରଣ ଘଟିଲା ସେସମ୍ପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏୟାର ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ବଞ୍ଚାଇବା ପାଇଁ ପୁରା ସରକାରୀ କଳକୁ ଲଗାଯାଇଛି।

ସୂଚନାଯୋଗ୍ୟ, ବସଟି ଚୀନୀ ଇଞ୍ଜିନିୟର, ସର୍ବେକ୍ଷକ ଓ ଶ୍ରମିକଙ୍କୁ ନେଇ ପୋଖତୁନଖ୍ୱାରେ ନିର୍ମାଣଧୀନ ବନ୍ଧ ନିକଟକୁ ଯାଉଥିଲା। ସେହି ସମୟରେ ଦୁର୍ଘଟଣା ଘଟିଥିଲା। ବସଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଗଭୀର ଗାତରେ ପଡ଼ିଯାଇଥିଲା। ବର୍ତ୍ତମାନ ସୁଦ୍ଧା ଜଣେ ଚୀନୀ ଇଞ୍ଜିନିୟର ଓ ସୈନିକ ନିଖୋଜ ଥିବା ଜଣାପଡ଼ିଛି।

ପାକିସ୍ତାନରେ ଥିବା ଚୀନୀ ଦୂତବାସ ଘଟଣାକୁ ନେଇ ଏକ ବୟାନ ଜାରି କରିଛନ୍ତି। ଏଥିରେ ପାକିସ୍ତାନରେ ଏକ ଚୀନୀ କମ୍ପାନୀର ପରିଯୋଜନା ଉପରେ ଆକ୍ରମଣ କରାଯାଇଥିବା ଦର୍ଶାଯାଇଛି। ଯେଉଁଥିରେ ଚୀନ ଲୋକ ପ୍ରାଣ ହରାଇଛନ୍ତି। ସେଥିପାଇଁ ନିଜ ସୁରକ୍ଷା ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ଚୀନୀ କମ୍ପାନୀକୁ ଦୂତବାସ କହିଛନ୍ତି।