ନଦୀ ପାର ବେଳେ ବୁଡ଼ିଗଲେ ଭଗବାନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଦଳପତିଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି ନଦୀ ପାର ହେବା ସମୟରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଦଳପତିଗୁଡ଼ା ଗ୍ରାମର ଭଗବାନ ଚଲାଣ। ମିଳିଥିବା ରିପୋର୍ଟ ମୁତାବକ, ଭଗବାନ ଜମିକୁ କାମ କରିବାକୁ ଯାଇ ଫେରୁଥିବା ସମୟରେ ଗରୀୟାଗଡ଼ ନଦୀରେ ଗୋଡ଼ ଖସି ବୁଡ଼ି ଯାଇଥିଲେ। ତେବେ ସଂଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାରବର୍ଗ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ମାଥିଲି ଥାନାରେ ଖବର ଦେଇଥିଲେ। ସେ ନଦୀରେ ବୁଡ଼ି ଯାଇଥିବା ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବହୁ ସମୟ ଧରି ଚେଷ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ମାଥିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତେବେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।