ନିଶା ଓ ଜମି ମାଫିଆଙ୍କ ପାଇଁ ହେବ ସ୍ୱତନ୍ତ୍ର କୋର୍ଟ

  • ଭୁବନେଶ୍ୱର: ଏଣିକି ଆଉ ଖସିପାରିବେନି ନିଶା ଓ ଜମି ମାଫିଆ। ରାଜ୍ୟରେ ଅବକାରୀ ଓ ଜମିଜମା ସଂକ୍ରାନ୍ତୀୟ ମାମଲାର ସମାଧାନ ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବ। ରାଜଧାନୀ ଭୁବନେଶ୍ୱରରେ କୋର୍ଟ ପ୍ରତିଷ୍ଠା ହେବାକୁ ଥିବାବେଳେ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଏହାଦ୍ୱାରା ଜମିବାଡ଼ି ଓ ଅବକାରୀ ମାମଲାର ତ୍ୱରିତ ସମାଧାନ ହେବ। ଓଡ଼ିଶା ଅବକାରୀ ଆଇନର ୮୭ ଧାରାରେ ସ୍ୱତନ୍ତ୍ର ଅବକାରୀ ଅଦାଲତ କଥା ଉଲ୍ଲେଖ ଥିବାବେଳେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏହି କୋର୍ଟ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଗୃହ ବିଭାଗ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିଛି। ସୂଚନାଯୋଗ୍ୟ, ଗତ ୧୦ ବର୍ଷ ମଧ୍ୟରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ୨ରୁ ୧୦ ପ୍ରତିଶତ ରହିଛି।
    ଅବକାରୀ ଆଇନର ୭୦ ଧାରା ଅନୁଯାୟୀ, ପୂର୍ବରୁ ଦଣ୍ଡିତ ବ୍ୟକ୍ତି ପରେ ଯଦି ଅପରାଧ କରନ୍ତି ସେକ୍ଷେତ୍ରରେ ଦଣ୍ଡବିଧାନ ବୃଦ୍ଧି କରାଯାଇପାରିବ। ସେହିପରି ଇ-କୋର୍ଟ ମାଧ୍ୟମରେ ଜମିର ସ୍ଥିତି, ମାଲିକାନ. ଖରିଦଦାର ସମ୍ପର୍କରେ ମଧ୍ୟ ସୂଚନା ମିଳିବ। ଗୋଟିଏ ଜମିକୁ ବାରମ୍ବାର ବିକିବା, ମୃତ ଲୋକର ଜମିକୁ ଅନ୍ୟତ୍ର ବିକ୍ରି କରିବା ଆଦି ଠକେଇ କ୍ଷେତ୍ରରେ ଏହି କୋର୍ଟ ବେଶ ସହାୟକ ହେବ।