- ଭଦ୍ରକ: ନୂଆରୂପରେ ଝଲସିବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ତଥା ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଶେଷକରି ଆଗନ୍ତୁକ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ପୀଠକୁ ସରସ ସୁନ୍ଦର କରିବା ପାଇଁ ମନ୍ଦିର ବେଢାର ସୌନ୍ଦର୍ଯ୍ୟକରଣ ସହ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଚଲାପଥ ନିର୍ମାଣ, ଶିବଗଙ୍ଗା ପୁଷ୍କରଣୀ କୂଳର ସୌନ୍ଦର୍ଯ୍ୟକରଣ, ଶ୍ରାବଣ ମାସରେ ଆସୁଥିବା ବୋଲବମ ଭକ୍ତଙ୍କ ଶୃଙ୍ଖଳିତ ଜଳାଭିଷେକ ନିମନ୍ତେ ନୂତନ ଶ୍ରାବଣୀ ମଣ୍ଡପ, ଯଜ୍ଞମଣ୍ଡପ ନିର୍ମାଣ, ମଣିବାବାଙ୍କ ଗର୍ଭଗୃହ ମରାମତି ସାଙ୍ଗକୁ ଗଳିଘର ଗୁମୁଟ ମରାମତି, ସେହିପରି ମୁକ୍ତିମଣ୍ଡପ, ନାଟମଣ୍ଡପ ଆଦିର ମରାମତି କରାଯିବ। ଏଥିପାଇଁ ସୋମବାର ତଥା ପବିତ୍ର ରଥଯାତ୍ରା ଅବସରରେ ମନ୍ଦିର ପରିସରରେ ଶିଳାନ୍ୟାସ କରାଯାଇଛି। ଏହି ଶିଳାନ୍ୟାସ ଉତ୍ସବରେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲାପାଳ ଜ୍ଞାନ ଦାସ, ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ଚାନ୍ଦବାଲି ବିଡିଓ ଜ୍ୟୋତିିବିକାଶ ଦାସ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ମାନସୀ ସାହୁଙ୍କ ସହ ଜଳପରିମଳ ବିଭାଗ, ଜଳସେଚନ ବିଭାଗ, ଡ୍ରେନେଜ ବିଭାଗ ସହ ବିଭିନ୍ନ ବିଭାଗର ପ୍ରଦାଧିକାରୀ ଯୋଗ ଦେଇଥିଲେ। ଏପରିକି କାର୍ଯ୍ୟକାରୀ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଭଦ୍ରକ ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି।
- ସେହିପରି ପୀଠକୁ ଆସୁଥିବା ଭକ୍ତମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୀଠର ମୁଖ୍ୟ ବଜାରର ରାସ୍ତା, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ୱର ସମ୍ପ୍ରସାରଣ ସହିତ ମନ୍ଦିର ୪ ଦ୍ୱାରର ସମ୍ପ୍ରସାରଣ କରାଯିବ। ବିଶେଷକରି ମହାଶିବରାତ୍ରୀରେ ଯେପରି ଅଗଣିତ ଭକ୍ତ ମଣବାବାଙ୍କ ମନ୍ଦିର ଚୂଡାକୁ ଉଠୁଥିବା ମହାଦୀପର ଦର୍ଶନ ପାଇପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସ୍ଥାନୀୟ ବିଧାୟକ କହିଥିଲେ। ପୀଠର ସମ୍ପ୍ରସାରଣ ଓ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ପାଇଁ ପୂର୍ବରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ତାହା ସାକାର ହୋଇ ପାରୁନଥିଲା।