ନୂଆଦିଲ୍ଲୀ,ଏଜେନ୍ସି: ଆର୍ଜେଣ୍ଟିନା ଚଳିତ ବର୍ଷର କୋପା ଆମେରିକା-୨୦୨୧ର ଚାମ୍ପିୟନ ହୋଇଛି। ଦୀର୍ଘ ୨୮ ବର୍ଷ ପରେ ଫାଇନାଲ ମ୍ୟାଚରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଆର୍ଜେଣ୍ଟିନା କୋପା ଆମେରିକା ଟାଇଟଲ ହାସଲ କରିଛି। ଆର୍ଜେଣ୍ଟିନାର ମହାନ୍ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ପାଇଁ ଏହି ବିଜୟ ଏକ ଐତିହାସିକ ମୁହୂର୍ତ୍ତ ଥିଲା। କାରଣ ୧୬ ବର୍ଷ ଧରି ଅନ୍ତର୍ଜାତୀୟ ଆର୍ଜେଣ୍ଟିନା ପାଇଁ ମ୍ୟାଚ ଖେଳିବା ପରେ ସେ ଏହି ଟ୍ରଫି ହାତେଇବାରେ ସକ୍ଷମ ହୋଇଛନ୍ତି।
ମ୍ୟାଚର ୨୨ ତମ ମିନିଟରେ ଆର୍ଜେଣ୍ଟିନାର ରେଡ୍ରିଗୋ ଡେ ପଲ ସାଥୀ ଖେଳାଳି ଆଞ୍ଜେଲ ଡି ମାରିଆଙ୍କୁ ଏକ ଲଙ୍ଗ ପାସ୍ ଦେବା ପରେ ତାହା ଗୋଲରେ ପରିଣତ ହୋଇଥିଲା। ଅପରପକ୍ଷେ ବ୍ରାଜିଲର ତାରକା ଖେଳାଳି ନେମାର ଏହି ମ୍ୟାଚରେ ଦଳକୁ ବିଜୟୀ କରାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ତାହା ବୃଥା ହୋଇଥିଲା।
୩୪ ବର୍ଷୀୟ ମେସିଙ୍କ ଏହା ଶେଷ କୋପା ଆମେରିକା ଟୁର୍ଣ୍ଣାମେଣ୍ଟ ଥିଲା। ସେ ୨୦୦୭, ୨୦୧୫ ଓ ୨୦୧୬ରେ ଦଳର ନେତୃତ୍ୱ ନେଇଥିଲେ ମଧ୍ୟ ଫାଇନାଲରେ ଦଳ ପରାଜୟ ବରଣ କରିଥିଲା। ତେବେ ୨୯ ବର୍ଷୀୟ ନେମାର ଆହତ ହୋଇ ଦୁଇ ବର୍ଷ ଧରି ଦଳରୁ ଦୂରେଇ ରହିଥିଲେ ହେଁ ବ୍ରାଜିଲ ୨୦୧୯ରେ ପେରୁକୁ ୩-୦ରେ ହରାଇ କୋପା ଟ୍ରଫି ହାସଲ କରିଥିଲା। ଚଳିତ ଥର ବ୍ରାଜିଲ ଓ ଆର୍ଜେଣ୍ଟିନା ଚତୁର୍ଥ ଥର ପାଇଁ କୋପା ଫାଇନାଲରେ ମୁହାଁମୁହିଁ ହୋଇଥିଲେ।