ପାର୍ବଣ ସମୟକୁ ଦୃଷ୍ଟିରେ ରଖି ନୋଏଡାରେ ଅଗଷ୍ଟ ୩୦ ଯାଏଁ ୧୪୪ ଧାରା ଜାରି

ନୂଆଦିଲ୍ଲୀ,ଏଜେନ୍ସି: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ପରିଚାଳିତ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ନୋଏଡାରେ ୫୦ ଦିନ ପାଇଁ ୧୪୪ ଧାରା ଲାଗୁ ହେବ। କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗୌତମବୁଦ୍ଧ ନଗର (ନୋଏଡା)ରେ ଜୁଲାଇ ୧୦ରୁ ଅଗଷ୍ଟ ୩୦ ଯାଏଁ ୧୪୪ ଧାରା ଲାଗୁ କରିଛନ୍ତି। ପାର୍ବଣ ସମୟକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଆଗାମୀ ଦିନରେ ବୋଲବମ, ରକ୍ଷାବନ୍ଧନ, ବକ୍ରି-ଇଦ୍‌, ଜନ୍ମାଷ୍ଟମୀ, ମହରମ ପାଳନ ହେବ। ଫଳରେ ଲୋକଙ୍କର ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି। ଲୋକଙ୍କର ଭିଡ ଯୋଗୁଁ ସାମାଜିକ ଦୂରତା ରକ୍ଷା ହୋଇପାରିବ ନାହିଁ। ତେଣୁ ସରକାର ନୋଏଡାରେ ୧୪୪ ଧାରା ଜାରି କରିଛନ୍ତି।

ନୂଆ ଆଦେଶ ଅନୁସାରେ କୌଣସି ଧାର୍ମିକ ଅନୁଷ୍ଠାନରେ ୫୦ରୁ ଅଧିକ ଲୋକଙ୍କର ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ଜିଲ୍ଲା ପ୍ରଶାସନର ଅନୁମତି ବିନା ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ, ଶିକ୍ଷା ଏବଂ ସାଂସ୍କୃତିକ ସମାରୋହର ଆୟୋଜନକୁ ବାରଣ କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ମେଡିକାଲ ଏବଂ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ଗତିବିଧି ବନ୍ଦ ରଖାଯାଇଛି।