କୋରାପୁଟ,ଏନ୍ଏନ୍ଏସ୍ : ଜିଲ୍ଲା ଅବକାରୀ ବିଭାଗ ଓ କୋରାପୁଟ ସଦର ଥାନା ପୁଲିସ୍ ଡେଙ୍ଗାଯାନୀଗୁଡ଼ା ଗ୍ରାମରେ ମିଳିତ ଚଢ଼ଉ କରି ୩୫୦ ଲିଟର ଦେଶୀ ମଦ ଜବତ କରିଛନ୍ତି। ଆଉ ଏଥିରେ ସମ୍ପୃକ୍ତ ଥିବା ୪ଜଣ ମହିଳାଙ୍କ ସହ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡେଙ୍ଗାଯାନୀଗୁଡ଼ା ଗ୍ରାମର ନବ ବିଷୋୟୀ, ବାସନ୍ତୀ ବିଷୋୟୀ, ପ୍ରତିମା ବିଷୋୟୀ, ମାଳତୀ ବିଷୋୟୀ, ଅଭିମନ୍ୟୁ ବିଷୋୟୀ, ରାଜେନ୍ଦ୍ର ବିଷୋୟୀ, ଭଗବାନ ବିଷୋୟୀ ଓ ମାଣ୍ଡିଆ ବିଷୋୟୀ। ସୂଚନାଯୋଗ୍ୟ, ସଦର ଥାନା ଡେଙ୍ଗାଯାନୀଗୁଡ଼ା ଗ୍ରାମରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ନେଇ ଅଭିଯୋଗ ମିଳିବା ପରେ ଜଣେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସଦର ଥାନାଧିକାରୀ ସମର୍ପିତା ସ୍ୱାଇଁ, କୋରାପୁଟ ଅବକାରୀ ନିରୀକ୍ଷକ ତେଜରାଜ୍ ଯାନୀ, ଡିଏଫଏସ୍ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ, ଅବକାରୀ ବିଭାଗ ସବଇନ୍ସପେକ୍ଟର ଦିଲ୍ଲୀପ କୁମାର ରଥ, ସଞ୍ଜୟ କୁମାର କାଣ୍ଡି, ଖଗେଶ୍ୱର କୋଟ୍ଟା, ଅରୁଣ କୁମାର ଯୋଶୀ, ଏଏସଆଇ ଅରୋପଲକ ଦାସ ପ୍ରମୁଖଙ୍କୁ ନେଇ ଗଠିତ ଟିମ୍ ଆଜି ଚଢ଼ଉ କରିଥିଲେ। ତେବେ ଘଟଣାସ୍ଥଳରୁ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।