ଚାଷୀଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଜାତୀୟ ରାଜପଥ ଅବରୋଧ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳି ଛକଠାରେ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଟୋକନ ପାଇଥିବା ଚାଷୀଙ୍କ ଧାନ ମଣ୍ଡିରୁ ଧାନ ଉଠିବା, କେନ୍ଦୁଝର ଜିଲ୍ଲାକୁ ରବି ଫସଲରେ ସାମିଲ କରିବା, ବହୁ ପ୍ରତୀକ୍ଷିତ ରେଳ ପଏଣ୍ଟ ପ୍ରତିଷ୍ଠା, କେନ୍ଦୁଝର ଜିଲ୍ଲାରେ ସାର ଓ ଧାନର ଅଭାବି ବିକ୍ରିକୁ କେନ୍ଦ୍ର କରି ଆନ୍ଦୋଳନ ହୋଇଥିଲା। ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ଖିରେଇଟାଙ୍ଗିରି ମଣ୍ଡଳ ସଭାପତି ମହେନ୍ଦ୍ର ନାୟକ, ଉଖୁଣ୍ଡା ମଣ୍ଡଳ ସଭାପତି ଲକ୍ଷ୍ମଣ କୁମାର ରାଉତ, ଖିରେଇଟାଙ୍ଗିରି ସରପଞ୍ଚ ବନୋଜ କୁମାର ନାୟକ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ କୁମାର ମହାନ୍ତି, ଯୁବନେତା ଅସିତ ନନ୍ଦନ ମହାନ୍ତି, ଚାଷୀନେତା ରାଜେଶ ମହାନ୍ତ ଓ ସୁଶାନ୍ତ ମହାନ୍ତଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ। ଜାତୀୟ ରାଜପଥ ଅବରୋଧ ଯୋଗୁ ରାଜପଥ ଉପରେ ଶହ ଶହ ଗାଡ଼ି ମୋଟର ଚଳାଚଳ ବ୍ୟାହତ ହୋଇଥିଲା।