ମାଲକାନଗିରି ନୂତନ ଜିଲ୍ଲାପାଳଙ୍କ ମୋଟୁ ଗସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ବିଶାଲ ସିଂ ଗତକାଲି ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ମୋଟୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ ପ୍ରଥମେ ମୋଟୁସ୍ଥିତ ସୀମାନ୍ତ ଯାଞ୍ଚ ପଏଣ୍ଟ ଗସ୍ତ କରି ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ କରାଯାଉଥିବା ବ୍ୟବସ୍ଥା ସମ୍ପର୍କରେ ସେଠାରେ ନିୟୋଜିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ମୋଟୁସ୍ଥିତ ମୁଗି ପଏଣ୍ଟକୁ ଗସ୍ତ କରି ସେଠାକାର ମଧୁସୂଦନ ପାର୍କର ଉନ୍ନତୀକରଣ ଏବଂ ରକ୍ଷଣାବେକ୍ଷଣ ନେଇ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ମୋଟୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତର ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି କିପରି ସମାଧାନ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ଏହାବ୍ୟତୀତ ଛତିଶଗଡ଼ ସରକାର ପକ୍ଷରୁ ନିର୍ମାଣଧୀନ କୋଣ୍ଟା ଏବଂ ମୋଟୁକୁ ସଂଯୋଗ କରୁଥିବା ପୋଲର ନିର୍ମାଣସ୍ଥଳୀ ବୁଲି କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ଗତକାଲି ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ସିଂହଙ୍କର ଏହି ଗସ୍ତ ମୋଟୁ ଅଞ୍ଚଳବାସୀଙ୍କ ମଧ୍ୟରେ ନୂତନ ଆଶା ସଂଚାର କରିଛି। ଏହି ଗସ୍ତ ସମୟରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଋିଷିକେଶ ଡି ଖିଲାରୀ ମଧ୍ୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର ଓ କାଲିମେଳା ବିଡିଓ ଉମାଶଙ୍କର ଦଳାଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।