ବନ୍ଧା ହେଲେ ୪ ନକଲି ଡାକ୍ତର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ୩ଟି ଗ୍ରାମରେ ଚଢ଼ଉ କରି ଗତକାଲି ୪ଜଣ ନକଲି ଡାକ୍ତରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ପିଟାକାଟା ଗ୍ରାମର ମିହିର ବିଶ୍ୱାସ, ଏମଭି-୪୭ ଗ୍ରାମର ଅନିମେଶ ବାଲା, ଏମଭି-୩୨ ଗ୍ରାମର ଅମୂଲ୍ୟ ପାଣ୍ଡେ ଓ ମନ୍ତୋଷ ପାଣ୍ଡେ। ମିଳିଥିବା ରିପୋର୍ଟ ମୁତାବକ, ଏମାନେ କୌଣସି ଡାକ୍ତରୀ ପାଠ ପଢ଼ି ନଥିଲେ ବି ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଆଖପାଖ ଗ୍ରାମରେ ରୋଗୀଙ୍କ ଚିକିତ୍ସା କରିବା ସହ ଔଷଧ ଓ ଇଞ୍ଜେକ୍ସନ ଦେଉଥିଲେ। ଚିକିତ୍ସା ଓ ଔଷଧ ବାବଦରେ ରୋଗୀଙ୍କଠାରୁ ବହୁ ଅର୍ଥ ଲୁଟ୍ କରିଥିବାବେଳେ ସେମାନଙ୍କ ଜୀବନ ସହ ମଧ୍ୟ ଖେଳୁଥିଲେ। ଏହି ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୁଲିସ ସମ୍ପୃକ୍ତ ନକଲି ଡାକ୍ତରଙ୍କ ଘର ଉପରେ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିବା ସହ ବହୁ ଔଷଧ ଜବତ କରିଛି। ଏଥିସହ ମାଲକାନଗିରି ଥାନାରେ ୪ଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ମାଲକାନଗିରି ଆଦର୍ଶ ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।