- କେନ୍ଦ୍ରାପଡ଼ା,୨୨ା୬/ଏନ୍ଏନ୍ଏସ୍: ଗ୍ୟାଙ୍ଗଷ୍ଟର ଟିଟୋ ଅପରାଧିକ ମମଲାର ତଦନ୍ତ ଦୀର୍ଘଦିନ ହେବ ଶିଥିଳ ପଡ଼ିଥିଲା। ଏବେ ଏହି ଘଟଣାରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ପୁଣି ସକ୍ରିୟ ହୋଇଛି। ଟିଟୋ ଦ୍ୱାରା କୋଟି କୋଟି ଟଙ୍କାର ଘରୋଇ ସମ୍ପତ୍ତି ଜବରଦଖଲ ମାମଲାରେ ତା’ର ଦୁଇ ସହଯୋଗୀଙ୍କୁ ସୋମବାର ରାତିରେ ଗିରଫ କରାଯାଇଛି। ସେମାନେ ହେଲେ ଟିଟୋର ସହଯୋଗୀ ସୟଦ ଜାହିଦ ଅଲ୍ଲୀ ଓରଫ୍ ଆଲିୟାସ ପାପା (୨୭) ଓ ସୟଦ ସଦ୍ଦାମ ଅଲ୍ଲୀ ଓରଫ୍ ଆଲିୟାସ ସଦ୍ଦାମ (୩୦)। ଏସିଟିଏଫ୍ ସେମାନଙ୍କୁ ଦିଲାରପୁରରୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି।
ପ୍ରକାଶ ଯେ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କେନ୍ଦ୍ରାପଡା ତହସିଲ ଅଧୀନ ଶ୍ୟାମଗୁଡିଆ ମୌଜାର ଗୋପଛକ ଓ ଛଘରିଆ ଛକ ମଝିରେ ୫ ନଂ. (କ) ଜାତୀୟ ରାଜପଥକୁ ଲାଗିଥିବା ୧ ଏକର ୪୪ ଡିସିମିଲ ଜାଗା ଗୋଲ୍ଡେନ ଲ୍ୟାଣ୍ଡ କମ୍ପାନୀ ମାଲିକାନାରେ ଥିଲା। ତେବେ ପୁଞ୍ଜି ଲଗାଇଥିବା ଜମାକାରୀମାନେ କମ୍ପାନୀଠାରୁ ଟଙ୍କା ଦାବି କରିଥିଲେ। ତେଣୁ କମ୍ପାନୀ ପକ୍ଷରୁ ଏହି ଜମିକୁ ଫତେପୁରର ଗୋବିନ୍ଦ ଚରଣ ମହାନ୍ତି, ସନ୍ତୋଷ କୁମାର ନାୟକ, ରମେଶ ଚନ୍ଦ୍ର ସ୍ୱାଇଁ ଓ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ବିକ୍ରି କରାଯାଇ ସେହି ଟଙ୍କା ଜମାକାରୀଙ୍କୁ ସୁଝିଥିଲେ। ଜମି କିଣିଥିବା ଲୋକ କେନ୍ଦ୍ରାପଡା ତହସିଲ ମାଧ୍ୟମରେ ଏହି ସମ୍ପତ୍ତିର କିସମ ପରିବର୍ତ୍ତନ କରି ଘରବାଡିରେ ପରିଣତ କରିଥିଲେ। ତେବେ କୋଟି କୋଟି ଟଙ୍କାର ଏହି ସମ୍ପତ୍ତିକୁ ପ୍ଲଟିଂ କରି ବିକିଲେ ଅଧିକ ଲାଭ ମିଳିବ ବୋଲି ଭାବି ଏହାକୁ ଆଇନଗତଭାବେ ୩୬ଟି ପ୍ଲଟରେ ବିଭକ୍ତ କରିଥିଲେ। ପୁର୍ବରୁ ଏହି ପ୍ଲଟ ନିକଟରେ ଥିବା ଅନ୍ୟ ଏକ ୭୬ ଡିସିମିଲ ଜମିକୁ ଟିଟୋ ନାଲିଆଖି ଦେଖାଇ ଉକ୍ତ ଜମି ମାଲିକଙ୍କଠାରୁ ଶାଗମାଛ ଦରରେ କିଣିଥିଲା। ପରେ ଏହି ଜମିକୁ କଟକସ୍ଥ ସଡ଼ୁର ଭାଇ ମୁନା ଖାଁଙ୍କ ନାମରେ କରାଇ ନେବାପରେ ପୁଣି ଏହି ୧ ଏକର ୪୪ ଡିସିମିଲ (୩୬ ଗୁଣ୍ଠ ) ଜମି ଉପରେ ଆଖି ପକାଇଥିଲା। ଏହି ଜାଗାକୁ ଜମିର ୪ ଜଣ ମାଲିକ ବିକ୍ରୟ ପାଇଁ ଉଦ୍ୟମ କରୁଥିବା ସମ୍ପର୍କରେ ଟିଟୋ ଲିଙ୍କରେ ଥିବା କମଳେଶ ଚଇନି ଆଲିୟାସ କମଳାକାନ୍ତ ଟିଟୋକୁ ଜଣାଇଥିଲା। ପରେ ଟିଟୋ ଏହି ସମ୍ପତ୍ତି କିଣିବା ବହାନାରେ କଥାବାର୍ତ୍ତା କରିବା ପରେ ଜମି ମାଲିକଙ୍କୁ ଉଚିତ ମୂଲ୍ୟ ନଦେଇ ନିଜର ମନମାନୀ ଚଳାଇବା ସହିତ ଯୋରଜବରଦସ୍ତ ବାଲି ଓ ମୋରମ ଗଦାକରି ଅବରୋଧ କରିଥିଲା। ଫଳରେ ସେମାନେ ଅନ୍ୟ କାହାକୁ ଜମି ବିକ୍ରି କରିପାରି ନଥିଲେ। ଏସମ୍ପର୍କରେ ବହୁବାର ଜମି ମାଲିକମାନେ ଜିଲ୍ଲାର ସଦର ଥାନା ଓ ତତ୍କାଳୀନ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଟିଟୋ ଗିରଫ ହେବା ପରେ ତାର ଅନ୍ୟାନ୍ୟ ଅପରାଧିକ ମାମଲା ସହିତ ଏହି ଜବରଦଖଲ ସମ୍ପତ୍ତି ସମ୍ପର୍କରେ ଖୋଳତାଡ ହୋଇଥିଲା। ପୁଲିସ ସୂଚନା ଅନୁସାରେ, ୨୦୧୮ ଜୁଲାଇ ୧୨ ତାରିଖରେ ପୁଣି ଏହି ଘରୋଇ ସମ୍ପତ୍ତିର ଜବରଦଖଲ ମାମଲାକୁ ନେଇ ଏସଟିଏଫ କେସ ନଂ. ୧୦/୨୦୧୮ରେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଟିଟୋର ଜମିଦଲାଲ କମଳେଶ ଚଇନିକୁ ଗିରଫ କରି ଜେରା କରିଥିଲା। ତେବେ ଏଥିରେ ଅନ୍ୟତମ ଅଭିଯୁକ୍ତ ସଦୟ ଜାହିଦ ଅଲ୍ଲୀ ଓ ସୟଦ ସଦ୍ଦାମ ଅଲ୍ଲୀ ଫେରାର ଥିଲେ। ସୋମବାର ବିଳମ୍ବିତ ରାତିରେ ଏସଟିଏଫ ସେମାନଙ୍କୁ ଗିରଫ କରିବା ସହିତ ମଙ୍ଗଳବାର କୋର୍ଟରେ ହାଜର କରିଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତି।