୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ୍ ଏକ ଟ୍ରକରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ବିହାରର ବକ୍ସର ହରିକ୍ରିଷ୍ନାପୁର ଜିଲ୍ଲାର ସନି କୁମାର ପାଣ୍ଡେ(୨୯) ଓ ଓମ୍ ପ୍ରକାଶ ପାଣ୍ଡେ(୨୬)। ଉଭୟଙ୍କଠାରୁ ପୁଲିସ୍ ୨ଟି ମୋବାଇଲ ଫୋନ୍ ଓ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକକୁ ଜବତ କରିଛି। ମିଳିଥିବା ରିପୋର୍ଟ ମୁତାବିକ, କୋରାପୁଟ ଆଡୁ ଜୟପୁରକୁ ଯାଉଥିବା ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାଙ୍କୁଡଙ୍କୁ ଖବର ମିଳିଥିଲା। ସୂଚନାକୁ ଆଧାର କରି ଓଆଇସି ମହାଙ୍କୁଡ଼ଙ୍କ ସମେତ ସବଇନ୍ସସପେକ୍ଟର ପି.କେ ମହାନ୍ତି ଓ ଅନ୍ୟ ପୁଲିସ କର୍ମଚାରୀ ୨୬ନଂ ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଟ୍ରକ୍ ପହଂଚିବା ମାତ୍ରେ ପୁଲିସ୍ ଟିମ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳକୁ ସେଥିରୁ ଜରି ଅଖାରେ ଥିବା ୪୬୧ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା।