୧୫ ଚୋରି ବାଇକ୍ ଉଦ୍ଧାର, ୪ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୧୫ଟି ବାଇକ କୋରାପୁଟ ଟାଉନ ଥାନା ପୁଲିସ ଉଦ୍ଧାର କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏସଡିପିଓ ଗୁଣନିଧି ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କୋରାପୁଟ ମେଡିକାଲ କଲେଜ ପରିସରରୁ ୪ଟି ବାଇକ ଚୋରି ହୋଇଥିବା ନେଇ କିଛିଦିନ ପୂର୍ବରୁ ଥାନାରେ ଅଭିଯୋଗ ହେବା ପରେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନାଧିକାରୀ ଧୀରେନ୍ ପଟ୍ଟନାୟକଙ୍କ ତତ୍ୱାବଧାନ ଓ ସବଇନ୍ସପେକ୍ଟର ଯଶୋବନ୍ତ ସେଲମାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ବାଇକ ଚୋରି ରାକେଟକୁ ଧରିବାକୁ ପ୍ରୟାସ ଆରମ୍ଭ କରିଥିଲା। ପ୍ରଥମେ ରାକେଟର ମାଷ୍ଟରମାଇଣ୍ଡ ଅଜିତ କୁମାର ପାଣିଗ୍ରାହୀକୁ କୋରାପୁଟ ପୁଜାରିପୁଟ ଅଂଚଳରୁ ଗିରଫ କରି ଜେରା କରିବା ପରେ ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଅଜିତକୁ ଗତ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା। ଜେରା ସମୟରେ ଅଜିତଠାରୁ ମିଳିଥିବା ସୂଚନାନୁସାରେ ପୁଲିସ ଟିମ୍ ଗତକାଲି ରାତିରେ ପୁଜାରିପୁଟର ଚନ୍ଦନ ବଢ଼େଇ, ଜୟପୁର ସଦର ଥାନା ସୌରାଗୁଡ଼ାର ରିଙ୍କୁ ପଟ୍ଟନାୟକ ଓ ସଲପା ଗ୍ରାମର ସନ୍ତୋଷ ସିଂହକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଧୀରେନ୍ ପଟ୍ଟନାୟକ, ସବଇନ୍ସପେକ୍ଟର ଶଙ୍କର ମାଝୀ, ସବଇନ୍ସପେକ୍ଟର ଯୋଶବନ୍ତ ସେଲମା ଓ ସୁଦର୍ଶନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।