ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ଜିଲ୍ଲାପାଳଙ୍କ ବିଦ୍ୟାଳୟ ପରିଦର୍ଶନ

ରାୟଗଡ,ଏନ୍ଏନ୍ଏସ୍: ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ୭ଟି ଉଚ୍ଚ ବିଦ୍ୟାଳୟକୁ ୫ଟିରେ ରୂପନ୍ତରୀଣ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲାର ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଆଜି ଜିଲ୍ଲାପାଳ ଶ୍ରୀ ମିଶ୍ର କଲ୍ୟାଣସିଂପୁର ବ୍ଲକର ଶିକାରପାଇ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସରକାରଙ୍କ ୫ଟି ବିଭାଗ ଅଧୀନରେ ଉନ୍ନତୀକରଣ ନିମନ୍ତେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ, ସରପଞ୍ଚ, ବିଦ୍ୟାଳୟ ସଭାପତି ସହିତ ଆଲୋଚନା କରିଥିଲେ।

ବିଶେଷ କରି ବିଜ୍ଞାନ ଗାର, ପାଠାଗାର, ଶ୍ରେଣୀ ଗୃହ, ଆଦି ବୁଲି ଦେଖିଥିଲେ। ଏଣିକି ନୂତନ ଭାବେ ସ୍ମାର୍ଟ କ୍ଲାସ କେଉଁଠି ହେବ, ଇ-ପାଠାଗାର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଶିକ୍ଷଣୀୟ ବ୍ୟବସ୍ଥା କେଉଁଠି କରାଯିବ ସେନେଇ ଆଲୋଚନା କରିଥିଲେ। ଏହି କୋଠରି ମାନଙ୍କରେ କିଭଳି ବ୍ୟବସ୍ଥା କରାଯିବ ସେନେଇ ମଧ୍ୟ ଆଲୋଚନା କରିଥିଲେ। ନୂତନ ଜ୍ଞାନ କୌଶଳରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରାଯିବା ନିମନ୍ତେ ବିଶେଷ ଭାବରେ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ବିଡ଼ିଓ, କାଳୁଚରଣ ନାଏକ, ତହସିଲଦାର ଦେବାଶିଷ କର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସଦସ୍ୟ ବୃନ୍ଦ, ସରପଞ୍ଚ, ପୁରାତନ ଛାତ୍ର ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାର ଦୁର୍ଗୀ, ରାମନାଗୁଡ଼ା, ଗୁଣପୁର, କୁମତୁଲପେଟା ଉଚ୍ଚ ବିଦ୍ୟାଳୟ ପ୍ରଦର୍ଶନ କରି ଅନୁରୂପ ଭାବରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ବିଡ଼ିଓ, ପ୍ରଧାନ ଶିକ୍ଷକ ଓ ପୁରାତନ ଛାତ୍ର ସଙ୍ଘ ସହିତ ଆଲୋଚନା କରିଥିଲେ।