ଜୁନ୍ ୧୮ରେ ଆଗଧାଡି ଯୋଦ୍ଧାଙ୍କ ପାଇଁ କ୍ରାସ କୋର୍ସ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଗଧାଡି କୋଭିଡ ଯୋଦ୍ଧାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୮ ତାରିଖରେ ଏକ ‘କଷ୍ଟୋମାଇଜଡ୍ କ୍ରାସ କୋର୍ସ’ ଲଞ୍ଚ କରିବେ। ସୂଚନା ଅନୁସାରେ ଭିଡିଓ କନଫରେନ୍ସିଂ ଜରିଆରେ ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ହେବ। ୨୬ଟି ରାଜ୍ୟର ୧୧୧ଟି ଟ୍ରେନିଂ ସେଣ୍ଟରରେ ଏହି କୋର୍ସ ଲଞ୍ଚ ହେବ। ରାଷ୍ଟ୍ରର କୋଭିଡ ଯୋଦ୍ଧା ମାନଙ୍କୁ ଅଧିକ ଦକ୍ଷ କରିବା ଏହାର ଲକ୍ଷ। ଏଥିରେ ୬ଟି କ୍ଷେତ୍ର ପାଇଁ ଟ୍ରେନିଂ ଦିଆଯିବ। ହୋମ କେୟାର ସପୋର୍ଟ, ବେସିକ୍ କେୟାର ସପୋର୍ଟ, ଆଡଭାନ୍ସ କେୟାର ସପୋର୍ଟ, ଏମର୍ଜେନ୍ସି କେୟାର ସପୋର୍ଟ, ନମୁନା ସଂଗ୍ରହ ଓ ମେଡ଼ିକାଲ ଉପକରଣ ସପୋର୍ଟ ପାଇଁ ଟ୍ରେନିଂ ଦିଆଯିବ।

ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା ୩.୦ ଅନ୍ତର୍ଭୁକ୍ତ ଏହି କାର୍ଯ୍ୟକ୍ରମକୁ ଡିଜାଇନ କରାଯାଇଛି। ଏଥିପାଇଁ ୨୭୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଅଣ ମେଡ଼ିକାଲ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ଏହି କାର୍ଯ୍ୟକ୍ରମ ଦକ୍ଷତା ବିକାଶ କରିବ। ଫଳରେ ବର୍ତ୍ତମାନ ଓ ଭବିଷ୍ୟତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ଶକ୍ତିର ଅଭାବ ରହିବନି।