ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ ଦାନ୍ତକ୍ଷରୀବାହାଳ ଗ୍ରାମରେ ବିଷଧର ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ବାରକୋଟ ବ୍ଲକ ଅନ୍ତର୍ଗତ ଦନ୍ତାରୀବାହାଲ ଗ୍ରାମର ବିଷ୍ଣୁ ଚରଣ ଲୁହୁରାଙ୍କ ପୁଅ ନିରଞ୍ଜନ ଲୁହୁରା (୧୪) ଅନ୍ୟ ଦିନମାନଙ୍କ ଭଳି ଗତକାଲି ରାତିରେ ଖିଆପିଆ ସାରି ଶୋଇଥିଲେ। ବିଳମ୍ବିତ ରାତିରେ ନିରଞ୍ଜନ ହଠାତ ଅସୁସ୍ଥ ହୋଇ ପଡ଼ି ଗୁରୁତର ହୋଇଥିଲେ। ପରିବାର ଲୋକ ଏହା ଜାଣିବା ପରେ ନିରଞ୍ଜନଙ୍କୁ ବିଷଧର ସାପ କାମୁଡ଼ିଥିବା ଜାଣିବାକୁ ପାଇଥିଲେ। ଗୁରୁତର ନାବାଳକକୁ ଚିକିତ୍ସା ପାଇଁ କଣ୍ଢଳସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ନିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।