ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ବ୍ୟବସାୟୀଙ୍କୁ ଜରୁରୀ ଭିତ୍ତିରେ ଟିକାକରଣ କରିବା ଲାଗି ବିଜେପିିର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ଏକ ପତ୍ର ପ୍ରଦାନ କରି କହିଛନ୍ତି ଯେ, ଝାରସୁଗୁଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରୁ ଏହା ଗ୍ରୀନ୍ ଜୋନ୍ ରୂପେ ଚିହ୍ନଟ ହୋଇଛି। ଏଣୁ ଜିଲ୍ଲାରେ ଲକଡାଉନ ଜନିତ କଟକଣାକୁ କୋହଳ କରାଯିବାର ସମ୍ଭାବନ ରହିଛି। ଫଳରେ ଦୋକାନ ବଜାର ଖୋଲିବା ଉପରେ ଗୁରୁବାରଠାରୁ ଆଉ ସେତେଟା ଅଙ୍କୁଶ ରହିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଦୋକନ ମାଲିକ ଓ କର୍ମଚାରୀଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରାଗଲେ ବ୍ୟାପକ ସଂକ୍ରମଣର ଆଶଙ୍କା ଅନେକାଂଶରେ କମିଯିବ। ତେଣୁ ଜିଲ୍ଲାରେ ସ୍ୱାଭାବିକତା ଫେରାଇ ଆଣିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।