ଲକଡାଉନ ପାଇଁ ଦୁର୍ଦ୍ଦିନରେ କୁମ୍ଭକାର ପରିବାର

ମାଲକାନଗିରି,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଲକଡାଉନ ଯୋଗୁ ବହୁ କ୍ଷେତ୍ରରେ କଟକଣା ଜାରି କରାଯାଇଛି। ଫଳରେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁମ୍ଭାରଗୁଡ଼ା ଗ୍ରାମର କୁମ୍ଭକାର ପରିବାରଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଏହି ଗ୍ରାମରେ ପ୍ରାୟ ୩୦ଟି ପରିବାର ବସବାସ କରନ୍ତି। ଏଠାକାର କୁମ୍ଭକାରମାନେ ମୁଖ୍ୟତଃ ବର୍ଷକୁ ୬ ମାସ ହିଁ କାମ କରିଥାନ୍ତି। ପରେ ବର୍ଷ ତମାମ ଉକ୍ତ ରୋଜଗାର ଅର୍ଥରେ ପରିବାର ଭରଣପୋଷଣ କରିଥାନ୍ତି। ଏହା ଏମାନଙ୍କ କୌଳିକ ବୃତ୍ତି ହୋଇଥିବାରୁ ଅନ୍ୟ କୌଣସି କାମ କରିବା ଏମାନଙ୍କ ପାଇଁ ସମ୍ଭବ ନୁହେଁ। ଗତ ଏକ ମାସ ଧରି ଅନେକ ସାମଗ୍ରୀ ନିର୍ମାଣ କରିଥିବା ବେଳେ ବିକ୍ରି ନେଇ ଏହି ସବୁ ପରିବାର ଚିନ୍ତାରେ ଅଛନ୍ତି। ଲକଡାଉନ ଯୋଗୁ ଦୋକାନ ବଜାର ଖୋଲିବା ଉପରେ ସମୟ ସୀମା ଲାଗୁ କରାଯାଇଥିବା ବେଳେ ସାପ୍ତାହିକ ହାଟ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଫଳରେ ସେମାନେ ତିଆରି କରିଥିବା ମାଟି ହାଣ୍ଡି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ନ ହୋଇ ପଡ଼ିରହିଛି। ତେଣୁ ବହୁ କ୍ଷତି ସହ୍ୟ କରିବା ସହ ପରିବାର ଭରଣପୋଷଣରେ ସମସ୍ୟା ସୃଷ୍ଟି ହେଉଥିବା କୁମ୍ଭକାରମାନେ ପ୍ରକାଶ କରିଛନ୍ତି। ତେଣୁ ସରକାର କିଛି ସାହାଯ୍ୟ କଲେ ଆମେ ଭଲରେ ଚଳି ପାରିଥାନ୍ତୁ ବୋଲି କୁମ୍ଭକାର ଲକ୍ଷ୍ମଣ କୁମ୍ଭାର ଓ ସହଦେବ କୁମ୍ଭାର ପ୍ରକାଶ କରିଛନ୍ତି ।