ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖୀରେଇଟାଙ୍ଗିରୀ ସେକ୍ସନ କାଲାପାଳ ଜଙ୍ଗଲକୁ ପତ୍ର ଆଣିବାକୁ ଯାଇ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ହେଲେ ଖିରେଇଟାଙ୍ଗିରୀ ଗ୍ରାମର ଉଦଗର ସାହିରେ ସତ୍ୟାନନ୍ଦ ନାୟକ(୪୫)। ମିଳିଥିବା ରିପୋର୍ଟ ମୁତାବିକ, ସତ୍ୟାନନ୍ଦ ଆଜି ଅପରାହ୍ନରେ ଜଙ୍ଗଲକୁ ପତ୍ର ଆଣିବାକୁ ଯାଇଥିବା ସମୟରେ ଭାଲୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲ ଭିତରେ ଭାଲୁ ସହ ବହୁ ସମୟ ସଂଘର୍ଷ ପରେ ସତ୍ୟାନନ୍ଦ ତା’ କବଳରୁ ମୁକୁଳିଥିଲେ। ପ୍ରଥମେ ଖୀରେଇଟାଙ୍ଗିରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୦୮ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସତ୍ୟାନନ୍ଦଙ୍କ ବାମ ହାତ, ଛାତି ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।