ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କୁରୋଡ଼ ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଉପରେ ଏକ ଅଜଣା ଗାଡି ଧକ୍କାରେ ଏକ ପାୱାର ଟିଲର ଚୁରମାର ହୋଇଯାଇଥିବା ବେଳେ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଟାଇଁସର ଗ୍ରାମର ସାମଲ ଖାଲକୋ (୩୨) ନାମକ ଜଣେ ଯୁବକ ବିଲରୁ ଚାଷ କାର୍ଯ୍ୟ ସାରି ପାୱାରଟିଲର ଯୋଗେ ନିଜ ଘରକୁ ଫେରୁଥିବା ବେଳେ କୁରୋଡ଼ ଗ୍ରାମ ଛକ ଠାରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗାଡି ଧକ୍କାରେ ପାୱାରଟିଲରଟି ଭାଙ୍ଗି ରୁଜି ଚୁରମାର ହୋଇଯାଇଥିବା ବେଳେ ଚାଳକ ରାସ୍ତା ଉପରେ ଛିଟିକି ଗୁରୁତର ହୋଇପଡ଼ିଥିଲା। ସ୍ଥାନୀୟ ଲୋକେ ଗୁରୁତରକୁ ଉଦ୍ଧାର କରିବା ପରିବର୍ତ୍ତେ ମୋବାଇଲ ଫୋନରେ ଫୋଟୋ ଉତ୍ତୋଳନରେ ବ୍ୟସ୍ତ ଥିବା ବେଳେ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ଅଞ୍ଚଳର କେତେକ ଯୁବକ ବାଇକ ଯୋଗେ ଉକ୍ତ ରାସ୍ତାଦେଇ ଆସୁଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ପଡ଼ିଥିବା ଯୁବକକୁ ବାଇକ ଯୋଗେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି।