ଓପିସିଏଲରୁ ଓପିଜିସିକୁ କୋଇଲା ଯୋଗାଣ ଆରମ୍ଭ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)କୁ ଏହାର ଅଧିନସ୍ଥ କମ୍ପାନୀ ଓସିପିଏଲର ମନୋହରପୁର ଖଣିରୁ କୋଇଲା ଯୋଗାଣ ଆରମ୍ଭ ହୋଇଛି। ଓପିଜିସିର ନିର୍ଦ୍ଦେଶକ ମାନସ ରଞ୍ଜନ ରାଉତ ଏସିବି ସାଇଡିଂରୁ କୋଇଲା ପରିବହନର ଶୁଭାରମ୍ଭ କରିଛନ୍ତି। ଫଳରେ ଉଭୟ ରେଳ ଏବଂ ରାସ୍ତାରେ ଓପିଜିସିକୁ ନିୟମିତ କୋଇଲା ପରିବହନ କରାଯିବ ବୋଲି ଜଣାପଡ଼ିଛ। ଓପିଜିସି ଦ୍ୱାରା ବ୍ୟବହୃତ କୋଇଲାର ମାନକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ ଓ ଆଗାମୀ କିଛି ଦିନ ମଧ୍ୟରେ ଓପିଜିସିର ମେରୀ ଗୋ ରାଉଣ୍ଡ ରେଲୱେ ସିଷ୍ଟମର ନିର୍ମାଣ କାର୍ଯ୍ୟ ସମାପ୍ତ ହେବ। ପରେ କମ୍ପାନୀକୁ ଆବଶ୍ୟକୀୟ ସମ୍ପୂର୍ଣ୍ଣ ପରିମାଣର କୋଇଲା ପରିବହନ କରାଯିବ।

ସୂଚନାଯୋଗ୍ୟ, ଓପିଜିସିର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତକୁ ଯିବା ପରେ ଗତ ମେ’ ମାସରେ ତୃତୀୟ ଓ ଚତୁର୍ଥ ୟୁନିଟରୁ ନିରବିଚ୍ଛିନ୍ନ ବିଦ୍ୟୁତ ଉତ୍ପାଦନ କରାଯିବା ଦ୍ୱାରା ଏକ ନୂଆ ରେକର୍ଡ ସ୍ଥାପନ ହୋଇଛି।