ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରରେ ଏକ ମାତ୍ର ୫ ମାସର ଶିଶୁ କନ୍ୟା ତିତଲି କରୋନାକୁ ମାତ ଦେଇଛି। ଯାହା ଅନେକ ସଂକ୍ରମିତଙ୍କୁ ନୁଆଁ ସାହସ ଦେବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟରେ କରୋନା ସ୍ଥିତି ବେଶ୍ ଭଲ ନଥିବା ବେଳେ ଏଭଳି ପରିସ୍ଥିତିରେ ବଲାଙ୍ଗିରରୁ ଆସିଛି ଏକ ଖୁସିର ଖବର।
ସୂଚନା ଅନୁସାରେ ବଲାଙ୍ଗିର ସହର ଜଗନ୍ନାଥ ପଡାରେ ରହୁଥିବା ସୁରେଶ ବାରିକ ନାମକ ବ୍ୟକ୍ତି ପେସାରେ ଜଣେ ଶିକ୍ଷକ। ଗତ ମେ’ ମାସ ୧୯ ତାରିଖରେ ସୁରେଶଙ୍କର ୫ ମାସର ଝିଅ ତିତଲି ବାରିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ବାପା ସୁରେଶ ଝିଅକୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇଥିଲେ। ଶିଶୁଙ୍କ କରୋନା ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନଥିବା କହି ଡାକ୍ତର ତାଙ୍କୁ ଫେରାଇ ଦେବା ସହ ଘରେ ରଖି ଚିକିତ୍ସା କରିବାକୁ କହିଥିଲେ।
ଡାକ୍ତରଙ୍କ ପରାମର୍ଶକ୍ରମେ ଶିଶୁ କନ୍ୟାକୁ ଘରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମ ଓ ଶିଶୁର ମା-ବାପାଙ୍କ ସେବା କ୍ରମେ ଆଜି କରୋନାକୁ ହରାଇଛି ତିତଲି। ଆଜି ସ୍ୱାସ୍ଥ୍ୟ ବିଭାଗ ଟିମ ଛୋଟ ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତାକୁ ସୁସ୍ଥ ଘୋଷଣା କରିଥିଲେ। ଅନ୍ୟ ପଟେ ୫ ମାସର ଶିଶୁ କନ୍ୟା ତିତଲି କରୋନାକୁ ହରାଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି।