ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ଜଣେ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରି ଶାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ ଆଜି ପୂର୍ବାହ୍ଣରେ ତୁରୁମୁଙ୍ଗା ପଟୁ କେନ୍ଦୁଝର ଆଡ଼କୁ ଯାଉଥିବା ଏକ ସ୍କୁଟିକୁ ଓଡ଼ି-୧୧ଏନ୍-୫୬୮୬ ନମ୍ବର ବିଶିଷ୍ଟ ଏକ ୧୨ ଚକିଆ ଟ୍ରକ୍ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ଦୁଇଜଣ ଗୁରୁତର ଆହତ ହୋଇଥିଲେ।

୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ପାଟଣା ଥାନା କୁଣ୍ଡୁଳା ଗ୍ରାମର ମିଥୁନ ମହାରଣା। ସେହିପରି କୁଣ୍ଡଳା ଗ୍ରାମର ବାସୁ ନାଏକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ଖବରପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି।