ରାୟଗଡା,ଏନ୍ଏନ୍ଏସ୍: ରାୟଗଡାର ଦୁର୍ଗମ ଗାଁ’ରେ ଚାଲିଛି ମହାମାରୀ ବିରୋଧୀ ଲଢେଇ। କରୋନାର ଦ୍ୱିତୀୟ ଲହରରେ ଲଗାତାର ଭାବେ ଜିଲ୍ଲାରେ ସଂକ୍ରମଣ ହାର ଉଦବେଗଜନକ ରହୁଥିବାରୁ ଉପାନ୍ତ ଗ୍ରାମରେ କରୋନା ସଂକ୍ରାନ୍ତୀୟ ସଚେତନତା ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ମହାମାରୀକୁ ମାତ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହିତ ଅଣ୍ଟା ଭିଡ଼ିଛନ୍ତି ପ୍ରଶାସନିକ ଅଧିକାରୀ। ଗାଁ’ଠୁ ସହର ଯାଏଁ, ସବୁଠି ମହାମାରୀ ସଂକ୍ରମଣ ରୋକିବା ଲାଗି ଚାଲିଛି ଉଦ୍ୟମ। ଏହି ପରିପ୍ରେକ୍ଷୀରେ ବୁଧବାର ରାୟଗଡା ସଦର ବ୍ଲକ ଅଧୀନ ସୀମାନ୍ତ କେରେଡା ପଞ୍ଚାୟତ ଦୁର୍ଗମ ଅନିଜା ଗାଁ’ରେ ବରି ପ୍ରଶାସନିକ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ଟିମ ପହଞ୍ଚି ସନ୍ଦିଗ୍ଧ ଗ୍ରାମବାସୀଙ୍କ ସ୍ୱାବ ନମୁନା ପରୀକ୍ଷା କରିିଛନ୍ତି। ଏଥିସହିତ ସ୍ଥାନୀୟ ଆମ୍ପଲବାଲ୍ସା ଠାରେ ନାକା କରାଯାଇଥିବା ସ୍ଥଳେ ଆନ୍ଧ୍ର ପଟୁ ଆସୁଥିବା ବ୍ୟକ୍ତିଙ୍କ ଯାଞ୍ଚ କିଭଳି ଚାଲିଛି ସେ ନେଇ ତନଖି କରିବାକୁ ତହସିଲଦାର ଉମାଶଙ୍କର ବେହେରା ସୀମାନ୍ତରେ ତଦାରଖ କରିଥିଲେ।
ଅନିଜା ଗାଁ’ରେ ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବଡ ଚ୍ୟଲେଞ୍ଜ ଉଭା ହୋଇଥିଲା। ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଗାଁକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଅସମ୍ଭବ ମନେହେଉ ଥିବାବେଳେ ପ୍ରଶାସନିକ ଅଧିକାରୀ ଟ୍ରାକ୍ଟର ଜରିଆରେ ଉଚ୍ଛୁଳା ନଦୀ ପାର ହୋଇ ଗାଁ’ରେ ପହଞ୍ଚିଥିଲେ। ରାୟଗଡା ତହସିଲଦାର ଉମାଶଙ୍କର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ, ଡ. ସୁନିଲ ମହାପାତ୍ର ଗାଁ’ରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ମହାମାରୀ ଲଢେଇ ବିରୋଧରେ ମାସ୍କ ଓ ସାମାଜିକ ଦୂରତାର ଉପକାରିତା ସମ୍ପର୍କରେ ସଚେତନ କରିଥିଲେ। ସ୍ୱାସ୍ଥ୍ୟ ବିଭାଗର ଏହି ଟିମ ଗାଁ’ର ୨୮୩ ଜଣ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ଏଥିମଧ୍ୟରୁ ୯ ଜଣଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ଏହି ଉଦ୍ୟମ ଲୋକଲୋଚନକୁ ଆସିବା ପରେ ଅଧିକାରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।