ରାଜସ୍ୱ ରଥ ମାଧ୍ୟମରେ ୧୧ ପରିବାରକୁ କରାଗଲା ପଟ୍ଟା ବଣ୍ଟନ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ତହସିଲ ପକ୍ଷରୁ ଆଜି ରାଜସ୍ୱ ରଥ ମାଧ୍ୟମରେ କୋରୁକୋଣ୍ଡା ବ୍ଲକର ଚିତାପାରୀ-୩ ପଞ୍ଚାୟତର ସଦାଶିବପୁର ଗ୍ରାମରେ ପଟ୍ଟା ବଣ୍ଟନ କରାଯାଇଛି। ଜଲାପୁଟ ଡ୍ୟାମ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ଆସିଥିଲେ ଏହି ଗ୍ରାମବାସୀ। ପୂର୍ବରୁ ଏହି ଗ୍ରାମର ୧୦୦ ପରିବାର ମଧ୍ୟରୁ ୮୯ ପରିବାରକୁ ପଟ୍ଟା ଦିଆଯାଇଥିଲା। କିନ୍ତୁ ବାକି ରହି ଯାଇଥିବା ୧୧ ପରିବାରକୁ ଆଜି ସଦାଶିବପୁର ସ୍ଥିତ ଅଙ୍ଗନବାଡି ଠାରେ ୩ ଏକର ଲେଖାଏଁ ପଟ୍ଟା ପ୍ରଦାନ କରାଯାଇଛି।

ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦ ଦଶରଥ ପଡ଼ିଆମୀ, ତହସିଲଦାର ଟି ପଦ୍ମନାଭ ଦୋରା, ଅତିରିକ୍ତ ତହସିଲଦାର ଅଶୋକ କୁମାର ମୁଦୁଲି, ସ୍ଥାନୀୟ ସରପଞ୍ଚ ପର୍ଶୁରାମ ଗୋଲୋରୀ ଏବଂ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଲମ୍ବୋଧର ପାତ୍ର ରହି ଏହି ୧୧ ଜଣ ବ୍ୟକ୍ତିଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଗ୍ରାମର କୁମୁଦିନୀ ଖରା, ସୁମିତ୍ରା ଖରା, ମାଳତୀ ବାଘ, ମୋତି ସେଠି, ବଲମା ସାଙ୍ଗଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି।