ସମ୍ବଲପୁର,ଏନ୍ଏନ୍ଏସ୍: ଆଜି ଦିନ ସାଢ଼େ ୧୧ଟାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସମ୍ବଲପୁର ଜିଲ୍ଲାର ଭିମସାର, ବୁର୍ଲା, ଅଶ୍ୱିନୀ କୋଭିଡ ହସ୍ପିଟାଲ ଏବଂ ପ୍ରସ୍ତାବିତ ଥିବା ନୂତନ ସ୍ପର୍ଶ କୋଭିଡ ହସ୍ପିଟାଲ ବିଷୟରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ, ଏସପି, ସିଡ଼ିଏମଓ, ଭିମସାର ଓ ବୁର୍ଲା କୋଭିଡ ନୋଡାଲ ଅଫିସର ଓ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଫିସର ଉପସ୍ଥିତ ଥିଲେ। ମନ୍ତ୍ରୀ ସମସ୍ତ କୋଭିଡ ହସ୍ପିଟାଲର ନୋଡାଲ ଅଫିସରଙ୍କଠୁ ରେମଡେସିଭିର ଓ ଅନ୍ୟ ଆବଶ୍ୟକ ମେଡ଼ିସିନ କେତେ ମହଜୁଦ ଅଛି ସେ ବିଷୟରେ ପଚାରି ବୁଝିଥିଲେ। ଏଥି ସହିତ ଆଇସିୟୁ ବେଡ଼୍ ଏବଂ ଅକ୍ସିଜେନ କେତେ ମହଜୁଦ ରହିଛି ପଚାରି ବୁଝିଥିଲେ।
କିଭଳି ଭାବରେ ସମସ୍ତ ଜନସାଧାରଣ କୋଭିଡ ଚିକିତ୍ସା ଉତ୍ତମ ଭାବେ ପାଇ ପାରିବେ ସେଥିପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସମ୍ବଲପୁରରେ ଏକ ନୂଆ କୋଭିଡ ହସ୍ପିଟାଲର ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଥିବା କଥା ପ୍ରକାଶ କରିଥିଲେ। ବିକାଶ କର୍ତ୍ତୃପକ୍ଷଙ୍କୁ କେତେ ଜଣ ଡାକ୍ତର, ନର୍ସ ଏବଂ ଏନେଥେସିଆ ଡାକ୍ତର କୋଭିଡ ହସ୍ପିଟାଲ ପାଇଁ ଯୋଗେଇ ଦିଆଯିବ ଏବଂ ତା ସହିତ ଏହି ନୂତନ କୋଭିଡ ହସ୍ପିଟାଲ ପାଇଁ ୧୦୦ ଜୋମ୍ବୋ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ ହେବ ବୋଲି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା।
ତୁରନ୍ତ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏହି ଅକ୍ସିଜେନ ସିଲିଣ୍ଡର ଯୋଗେଇବା ପାଇଁ ରାଜ୍ୟ ସରକାରଙ୍କୁ ଏକ ଚିଠି ଦେବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ। ଜୁନ୍ ୧୫ରୁ ୨୦ ତାରିଖ ମଧ୍ୟରେ ଏହି ନୂତନ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶେଷରେ ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ସାନିଟାଇଜରର ବ୍ୟବହାର କରିବା, ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଏବଂ କୋଭିଡ ନିୟମକୁ ମାନିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଉପଦେଶ ଦେଇଥିଲେ।