ଦେବଗଡ଼ ଏସପିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା, ଦାୟିତ୍ୱ ନେଲେ ଅନୁଗୁଳ ଏସପି

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଏସପି ମନୋଜ କୁମାର ମାହାନ୍ତଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଏହି ଦାୟିତ୍ୱଭାର ଗ୍ରହଣ କରିଛନ୍ତି ଅନୁଗୁଳ ଏସପି ଶ୍ରୀ ଜଗମୋହନ ମୀନା। ଆଜି ଶ୍ରୀ ମାହାନ୍ତ ତାଙ୍କ ଚାକିରି ଜୀବନରୁ ଅବସର ନେଇଥିବା ବେଳେ ଏହି ଉପଲକ୍ଷେ ଶ୍ରୀ ମାହାନ୍ତଙ୍କୁ ଗତକାଲି ଜିଲ୍ଲାମୁଖ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଆୟୋଜିତ ସଭାରେ ବିଭାଗ ପକ୍ଷରୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଡ଼ିଆଇଜି ଶ୍ରୀ ଷଡ଼ଙ୍ଗୀ ଏସପି ଶ୍ରୀ ମାହାନ୍ତଙ୍କ ବିଭାଗ ପ୍ରତି ଅବଦାନ ସମ୍ପର୍କରେ ଉଲ୍ଲେଖ କରିବା ସହ ତାଙ୍କ ସୁଖମୟ ଅବସରକାଳୀନ ଦୀର୍ଘ ଜୀବନ କାମନା କରିଥିଲେ।

୧୯୮୩ ମସିହାରେ ପୁଲିସ ବିଭାଗ ରେ ଯୋଗଦାନ ପରଠାରୁ ଶ୍ରୀ ମାହାନ୍ତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗରେ ନିଷ୍ଠାର ସହ କାର୍ଯ୍ୟ କରି ଦେବଗଡ଼ ଜିଲ୍ଲା ଏସପି ଭାବେ ୨୦୨୦ ମସିହା ଅଗଷ୍ଟ ୧୯ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ମାହାନ୍ତଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲା ପୁଲିସ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବି ନାରାୟଣ ସି, ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡ଼ିଆଇବି ଡ଼ିଏସପି ପ୍ରଦୀପ କୁମାର କେର୍କେଟା, ଦେବଗଡ଼ ଆଦର୍ଶ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ, ବାରକୋଟ ଥାନା ଅଧିକାରୀ କନକ ମାଝୀ, ରିଆମାଳ ଥାନା ଭାରପ୍ରାପ୍ତ ଅଧିକାରୀ ଗୋପବନ୍ଧୁ ବେହେରା ଓ କୁଣ୍ଢେଇଗୋଳା ଭାରପ୍ରାପ୍ତ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।