ଆଉ ନାହାନ୍ତି କମେଡି ଷ୍ଟାର ମିଷ୍ଟର ଡୋଲୁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ନିଜର ହାସ୍ୟ ରସ ଭରା ଅଭିନୟରେ ଲୋକଙ୍କୁ ହସାଇ ହସାଇ ଗଡ଼ାଇ ଦେଉଥିବା ହାସ୍ୟ ଅଭିନେତା ମିଷ୍ଟର ଡୋଲୁ ଓରଫ ଡୋଳାମଣି ଦାସ ଆଉ ନାହାନ୍ତି। ଗତକାଲି ରାତି ୧୦ଟା ୩୫ ମିନିଟ ସମୟରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପଡ଼ୋଶୀ ଜିଲ୍ଲା ସୁନ୍ଦରଗଡ଼ ଭଷ୍ମା ଥାନା ଅନ୍ତର୍ଗତ ଅବନକେଲାର ଡ଼ୋଳାମଣି ଘରେ ଥିବା ଏକ କୁଲରକୁ ମରାମତି କରୁଥିବାବେଳେ ବିଦ୍ୟୁତ ଆଘାତ ଖାଇ ଅଚେତ ହୋଇପଡ଼ିଥିଲେ।

ପରିବାର ଲୋକେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ୟୁଟ୍ୟୁବ୍‌ ଚ୍ୟାନେଲ ମିଷ୍ଟର ଡୋଲୁ କମେଡ଼ି ମଧ୍ୟମରେ ହାସ୍ୟରସାତ୍ମକ ଅଭିନୟ କରି ସେ ଅଳ୍ପ ଦିନରେ ଲୋକପ୍ରିୟ ହୋଇଯାଇଥିଲେ। ତାଙ୍କର ଭିନ୍ନ ପ୍ରକାର ଅଭିନୟ ଶୈଳୀ ଲୋକଙ୍କୁ ତାଙ୍କ ଭିଡ଼ିଓ ଦେଖିବାକୁ ଟାଣି ନେଉଥିଲା। ସେ ୨ ଶହରୁ ଅଧିକ ସଟ୍ କମେଡ଼ି ଫିଲ୍ମରେ ଅଭିନୟ କରିଛନ୍ତି। ସ୍ୱର୍ଗତ ଡୋଲୁ କୁଷ୍ଟ ଚାଷୀ, କାଲୁ ଦାଦାକେ ଧୋକା, ଘନବେଡ଼ା, ହସ୍ପିଟାଲ ନେଇ ଲାଗବା, ହଂସବାର ମନା ଭଳି ଅନେକ ସଟ୍ କମେଡ଼ି ଫିଲ୍ମ କରି ଚର୍ଚ୍ଚରେ ରହିଥିଲେ।