ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘର ପ୍ରଶଂସା

ନୂଆଦିଲ୍ଲୀ,ଏଜେନ୍ସି: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପାଇଁ ଜାତିସଂଘ ପ୍ରଶଂସା କରିଛି। ବିପର୍ଯ୍ୟୟ ପୂର୍ବର ପ୍ରସ୍ତୁତି କରି ଅନେକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ରାଜ୍ୟ ସରକାର ସଫଳତା ପାଇଥିବାରୁ ଜାତିସଂଘ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି।

ଜାତିସଂଘର କାର୍ଯ୍ୟାଳୟର ବିପର୍ଯ୍ୟୟ ବିପଦ ହ୍ରାସ (ୟୁଏନଡିଆରଆର)ର ମୁଖ୍ୟ ମାମି ମିଜୁତୋରି ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶା ସରକାରଙ୍କ ପୂର୍ବ ପ୍ରସ୍ତୁତି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି। ବିପର୍ଯ୍ୟୟ ପୂର୍ବରୁ ଓଡିଶା କରିଥିବା ପୂର୍ବ ପ୍ରସ୍ତୁତିକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି। ରାଜ୍ୟ ବାରମ୍ବାର ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଥିବାରୁ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ନେଇ ଏକ ଉତ୍ତମ ଅଭିଜ୍ଞତା ହୋଇଛି। ଏଥିଲାଗି ସରକାର ବିପର୍ଯ୍ୟୟ ପରିଚାଳନାରେ ସଫଳତା ହାସଲ କରିପାରିଛନ୍ତି। ଓଡିଶା ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଏଭଳି ବିପର୍ଯ୍ୟୟର ମୁକାବିଲା କରିବା ଲାଗି ଉତ୍ତମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗଠନ କରିଛି।

୧୯୯୯ ମସିହାରେ ରାଜ୍ୟରେ ହୋଇଥିବା ମହାବାତ୍ୟାରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଥିବା ବେଳେ ସେହି ଦିନଠାରୁ ରାଜ୍ୟରେ ଏହାର ପୁନରାବୃତ୍ତି ହୋଇନାହିଁ ବୋଲି ୟୁଏନଡିଆରଆରର ମୁଖ୍ୟ କହିଛନ୍ତି। ୨୦୧୩ ମସିହାରେ ରାଜ୍ୟରେ ଆସିଥିବା ଭୀଷଣ ବାତ୍ୟା ‘ଫାଇଲିନ’ ମଧ୍ୟ ମୁକାବିଲା କରିଥିବା ଓଡିଶା। ଏହି ସମୟରେ ମଧ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ଯୋଗୁଁ ରାଜ୍ୟରେ ବିଶେଷ କ୍ଷୟକ୍ଷତି ହୋଇନଥିଲା। ଗତ କିଛି ଦିନ ପୂର୍ବରୁ ପୁଣି ରାଜ୍ୟକୁ ମାଡିଆସିଥିଲା ଭୟଙ୍କର ବାତ୍ୟା ୟାସ୍‌। ଏହି ବାତ୍ୟା ଓଡିଶା ଉପକୂଳ ଛୁଇଁବା ପୂର୍ବରୁ ସରକାର ପ୍ରାୟ ତଳିଆ ଓ ବିପଦପୂର୍ଣ୍ଣ ଅଞ୍ଚଳରୁ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ।