ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଆଜି ଲଖନପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଧାୟକ ପାଣ୍ଠି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଗୁଡ଼ିକ କିପରି ଶୀଘ୍ର ତ୍ୱରାନ୍ୱିତ ହୋଇପାରିବ ତାହା ଉପରେ ବିଧାୟକ ସମୀକ୍ଷା କରିଥିଲେ। କରୋନା ମହାମାରୀର ସଠିକ୍ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହିତ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ହସ୍ପିିଟାଲ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମାଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ କିଭଳି ପହଞ୍ଚିପାରିବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲଖନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜିବ କୁମାର ପଟେଲ, ତହସିଲଦାର ଶ୍ରୀ ବିଶ୍ୱକେଶନ ପାଣ୍ଡେ, ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବୈକୁଣ୍ଠ କଚ୍ଛପ, ଲଖନପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ପ୍ରଧାନ, ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଲଖନପୁର ବ୍ଲକ ସଭାଗୃହରେ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ପଙ୍କଜିନୀ ପ୍ରଧାନ, ବିଜେଡି ଜିଲ୍ଲା ଉପସଭାପତି ବିଶ୍ୱନାଥ ନାୟକ, ରବିରତ୍ନ ପଧାନ, ପିତାମ୍ବର ମିଶ୍ର, ପ୍ରସନ୍ନ ପ୍ରଧାନ, ପ୍ରମୋଦ ଗଡ଼ତିଆ, ସୁରେନ୍ଦ୍ର ପାଢ଼ୀ ଓ ପ୍ରଦୀପ ବିଶ୍ୱାଲ ପ୍ରମୁଖଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।