ବାତ୍ୟା ୟାସ୍ ପ୍ରଭାବରେ ପାଟଣା ଓ ସାହାରପଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି

ପାଟଣା,ଏନ୍ଏନ୍ଏସ୍: ବାତ୍ୟା ୟାସ୍ ପ୍ରଭାବରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି। ଫଳରେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ପାଟଣା କେନ୍ଦୁଝର ରାସ୍ତାର ଭିମାପଡା ସ୍ଥିତ କାନଝରି ପୋଲ ଉପରେ ସକାଳୁ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କିଛି ସମୟ ପାଇଁ ପାଟଣା କେନ୍ଦୁଝରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେହିପରି ସାହାରପଡା ବ୍ଲକର କପୁଣ୍ଡି ଧାନବେଣି ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପାଟଣାରୁ ବନବୀରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଏଥିସହ ୨୨୦ ନମ୍ବର ଜାତୀୟ ରାଜପଥ ସ୍ୱାମ୍ ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ପାଟଣାରୁ ଢେଙ୍କିକୋଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାତ୍ୟା ୟାସ୍ ପ୍ରଭାବରେ ପାଟଣା ବ୍ଲକର ୨୦ଟି ପଞ୍ଚାୟତରେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଆଂଶିକ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଘର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧୦ଟି ଗୁହାଳ ଘର ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି।

କ୍ଷତିଗ୍ରସ୍ତ ଲୋକଙ୍କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ଭାବେ ପଲିଥିନ ଯୋଗାଇ ଦିଆଯାଇଥିବା ବେଳେ କ୍ଷୟକ୍ଷତି ଆକଳନ କରାଯିବା ପରେ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ କହିଛନ୍ତି। ସେହିପରି ସାହାରପଡା ବ୍ଲକରେ ମୋଟ ୪୭ଟି ଘର ଭାଙ୍ଗିଥିବା ସାହାରପଡା ତହସିଲଦାର ବାବାଜୀ ଚରଣ ସିଂ ସୂଚନା ଦେଇଛନ୍ତି। ଅନ୍ୟପଟେ “ୟାସ୍” ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇ ତାର ଛିଣ୍ଡି ଯାଇଛି। ୨ ଦିନ ହେବ ପାଟଣା ଓ ସାହାରପଡା ଅଞ୍ଚଳରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ପିଇବା ପାଣି ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।