କୋରାପୁଟ,ଏନ୍ଏନ୍ଏସ୍: ନନ୍ଦପୁର ଥାନା ପୁଜାରୀପୁଟ ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି କାମ କରୁଥିବାବେଳେ ଖସି ପଡ଼ି ବିଦ୍ୟୁତ କର୍ମଚାରୀ ଉମାଶଙ୍କର ନାୟକଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ପରିବାର ଲୋକ ଓ ଗ୍ରାମବାସୀ କ୍ଷତି ପୂରଣ ଦାବି କରି ସାଉଥକୋ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିଛନ୍ତି।
ମିଳିଥିବା ରିପୋର୍ଟ ମୁତାବିକ, ଗୁରୁବାର ପୂର୍ବାହ୍ନରେ ବିଦ୍ୟୁତ କର୍ମଚାରୀ ଉମାଶଙ୍କର ନାୟକ ବିଦ୍ୟୁତ୍ ସଂଯୋଗ କାଟି ଲମତାପୁଟ ବ୍ଲକ୍ କୁମ୍ଭାଗନ୍ଧଣାର ପୁଜାରୀପୁଟକୁ ମରାମତି ପାଇଁ ଯାଇଥିଲେ। ସେ ଏକ ଖୁଣ୍ଟିରେ ଚଢ଼ି କାମ କରୁଥିବାବେଳେ ହଠାତ୍ ଲାଇନ ଚାର୍ଜ ହେବାରୁ ବିଦ୍ୟୁତ୍ ଆଘାତ ପାଇ ତଳେ ଖସି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ମୃତ ବିଦ୍ୟୁତ କର୍ମଚାରୀ ଲାଇନ୍ କାଟି ପୋଲ ଚଢ଼ିଥିବା ବିଭାଗୀୟ ଅଧିକାରୀ ଜାଣିଥିଲେ ମଧ୍ୟ କିଏ ଲାଇନ୍ ଚାର୍ଜ କଲା ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବାବେଳେ କ୍ଷତି ପୂରଣ ଦାବିରେ ଜେଇଙ୍କୁ ଲୋକେ ଘେରି ରଖିଛନ୍ତି। ଘଟଣାସ୍ଥଳରେ ନନ୍ଦପୁର ତହସିଲଦାର ନରସିଂହ ଗାଦବା,ଏସଡିପିଓ ସଞ୍ଜୟ ମହାପାତ୍ର ଓ ଥାନାଧିକାରୀ କପିଳେଶ୍ୱର ବେହେରା ପ୍ରମୁଖ ପହଂଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରୁଛନ୍ତି।