ସର୍ପାଘାତରେ ଯୁବକ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଶିମିଳିନାଳି ଗ୍ରାମରେ ସର୍ପାଘାତରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଶିମିଳିନାଳି ଗ୍ରାମର ସ୍ୱର୍ଗତ ଛେବରୁ କିସାନଙ୍କ ପୁଅ ବାବରୁ କିସାନ(୪୫) ଅନ୍ୟଦିନମାନଙ୍କ ଭଳି ଗତକାଲି ରାତିରେ ପରିବାର ଲୋକଙ୍କ ସହ ଖିଆପିଆ ସାରି ଶୋଇ ପଡ଼ିଥିଲେ। ତେବେ ବିଳମ୍ବିତ ରାତିରେ ଏକ ବିଷଧର ସାପ ବାବରୁଙ୍କୁ କାମୁଡ଼ି ଦେବାରୁ ତାଙ୍କ ନିଦ ଭାଙ୍ଗି ଯାଇଥିଲା । ପାଖରେ ସାପକୁ ଦେଖି ବାବରୁ ସାପ କାମୁଡ଼ିଥିବା ଜାଣିପାରି ପରିବାର ଲୋକଙ୍କୁ ଜଣାଇଥିଲେ। କିଛି ସମୟ ପରେ ବାବରୁ ଗୁରୁତର ହୋଇ ପଡ଼ିଥିବା ଯୋଗୁ ପରିବାର ଲୋକେ ଚିକିତ୍ସା ପାଇଁ ଆଜି ସକଳେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଜି ବାବରୁଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ବାରକୋଟ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।