ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଗତ ସୋମବାର ରାତିରେ ଦେଶୀ ଡଙ୍ଗା ଓଲଟିବା ଘଟଣାରେ ନିଖୋଜ ଅନ୍ୟ ୨ଜଣଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଫଳରେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଦୁର୍ଘଟଣା ରାତିରେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ୫ଜଣ ଓ ଆଜି ଅନ୍ୟ ୨ଜଣଙ୍କ ସମେତ ସମସ୍ତ ୮ଜଣ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ କନ୍ଧଗୁଡ଼ା ଗ୍ରାମର ଲକ୍ଷ୍ମୀ ଖରା (୨୨), ପିଙ୍କି ଖରା (୪), ଅବିର ଖରା (୧), ଅନୁଶା ବଡ଼ନାୟକ (୨୫), ଗାୟତ୍ରୀ ବଡ଼ନାୟକ(୩), ରାଣୀ ବଡ଼ନାୟକ(୬), ସାମସନ ୟଲଗୁରୁ (୫), ଅନିଶ୍ୱରନ ୟଲଗୁରୁ (୧) ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠ୍ଠାୱାଡ଼ା ପଂଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡ଼ା ଗ୍ରାମର ୧୧ଜଣ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ନିକଟସ୍ଥ ସାଙ୍ଗରେଡ଼ିର ଏକ ଇଟା ଭାଟିରେ କାମ କରୁଥିଲେ। ହେଲେ କରୋନା କଟକଣା ଯୋଗୁ ସ୍ଥାନୟୀ ସଂଗରୋଧ କେନ୍ଦ୍ରରେ ରହିବା ଭୟରେ ଲୁଚି ଲୁଚି ୨ଟି ଦେଶୀ ଡଙ୍ଗା ସାହାଯ୍ୟରେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ନଦୀ ମଧ୍ୟରେ ଥିବା ଏକ ଗଛର ଖୁଣ୍ଟରେ ଧକ୍କା ହୋଇ ଗୋଟିଏ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ସେଥିରେ ଥିବା ଲୋକେ ଜୀବନ ବଞ୍ଚାଇବାକୁ ଅନ୍ୟ ଏକ ଡଙ୍ଗା ଉପରେ ଚଢ଼ିବା ବେଳେ ଉକ୍ତ ଡଙ୍ଗା ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୩ ଜଣ ପହଁରି ପହଁରି ଘାଟରେ ପହଂଚିଥିବାବେଳେ ୮ଜଣ ନିଖୋଜ ଥିଲେ। ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ରମଙ୍କ ନେତୃତ୍ୱରେ ଓଡ୍ରାଫ ଓ କୋରୁକୋଣ୍ଡା ଅଗ୍ନିଶମ ସେବା ବାହିନୀର କର୍ମଚାରୀମାନେ ସମସ୍ତ ନିଖୋଜଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ଜଣାପଡ଼ିଛି।